ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି, କାହିଁକି ଜାଣନ୍ତୁ
ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ସ୍ଥିତ ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ବିଳମ୍ବ ନକରି ହସ୍ତକ୍ଷେପ କରନ୍ତୁ। ଗଣ୍ଡଗୋଳର କାରଣ ଖୋଜି ତୁରନ୍ତ ଶାନ୍ତି କମିଟି ଗଠନ କରିବାକୁ ଚିଠି ଜରିଆରେ ନିବେଦନ କରିଛନ୍ତି ଭୁବନେଶ୍ୱର ସାଂସଦ।
ଗତକାଲି ସନ୍ଧ୍ୟାରେ ଗାଁକୁ ଯାଇ ସ୍ଥିତି ପରଖିଥିବା ସେ ଚିଠିରେ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ଗାଁର ୧୫୦ ଲୋକଙ୍କୁ ଗିରଫ କରି ୩ ମାସ ହେଲା ଜେଲ୍ ପଠାଯାଇଛି। ଏବେବି ପଦ୍ମକେଶରୀପୁର ଗାଁରେ ଅଳ୍ପ କିଛି ମହିଳା ଓ ଶିଶୁ ଅଛନ୍ତି, ଭୟର ବାତାବରଣ ଲାଗି ରହିଛି। ହେଲେ ଏପର୍ୟ୍ୟନ୍ତ ଶାନ୍ତି ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସେପରି ଉଦ୍ୟମ ହୋଇନି। ତେଣୁ ବିଳମ୍ବ ନ କରି ହସ୍ତକ୍ଷେପ କରିବାକୁ ଅପରାଜିତା ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ ତାରିଖରେ ବିଳମ୍ବିତ ରାତିରେ ପଦ୍ମକେଶରୀପୁରରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଉତ୍ତେଜନା ବଢ଼ିବା ପରେ ସେହି ଅଂଚଳରେ ୧୪୪ ଧାରା ଜାରି କରାଯାଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।
Powered by Froala Editor