ପ୍ରଶାନ୍ତ ମହାସାଗରରେ ଖସିଲା ଚନ୍ଦ୍ରୟାନ-୩ର ଅଗ୍ରଭାଗ
ଚନ୍ଦ୍ରଯାନ-୩କୁ ମହାକାଶକୁ ନେଇ ଯାଇଥିବା ‘ଏଲ୍ଭିଏମ୍୩ ଏମ୍୪’ ଲଞ୍ଚ୍ ଭେଇକ୍ଲ୍ର ଉପର ଅଂଶ ବା ଅଗ୍ରଭାଗ ଉତ୍ତର ପ୍ରଶାନ୍ତ ମହାସାଗରରେ ଖସିପଡ଼ିଛି। ଗୁରୁବାର ଭୋର ପ୍ରାୟ ୨ଟା ୩୦ସମୟରେ ଲଞ୍ଚରର ଏକ ଅଂଶ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ଆମେରିକା ନିକଟ ଉତ୍ତର ପ୍ରଶାନ୍ତ ମହାସାଗରରେ ଖସି ପଡିଛି। ଏହା ଏଲଭିଏମ-୩ ଏମ-୪ ରକେଟର କ୍ରାୟୋଜେନିକ ଅଂଶ। ନାସାର ବୈଜ୍ଞାନିକମାନେ ଏହାକୁ ଚିହ୍ନଟ କରିଛନ୍ତି।
୧୪ ଜୁଲାଇ ୨୦୨୩ ରେ ଚନ୍ଦ୍ରୟାନ-୩କୁ ପୃଥିବୀଠାରୁ ୩୬ ହଜାର କିଲୋମିଟର ଦୂରକୁ ପଠାଯାଇଥିଲା। ୧୨୪ ଦିନ ପରେ ଏହାର ଭଗ୍ନାବଶେଷ ପ୍ରଶାନ୍ତ ମହାସାଗରରେ ଖସିଛି।
ଲଞ୍ଚ ହେବା ପରେ ଚନ୍ଦ୍ରୟାନଠାରୁ ଅଲଗା ହେବା ମାତ୍ରେ ଲଞ୍ଚର୍ ପୃଥିବୀ ଚାରିପଟେ ଘୂରି ବୁଲୁଥିଲା। ସେ ଧୀରେ ଧୀରେ ପୃଥିବୀର ନିକଟତର ହେବାକୁ ଲାଗିଥିଲା। ଟ୍ରାକିଂ କରିବା ପରେ, ନାସା ଇସ୍ରୋ ସହିତ କଥା ହୋଇଥିଲେ ଏବଂ ମହାକାଶରୁ ପୃଥିବୀ ଆଡକୁ ଆସୁଥିବା ଲଞ୍ଚରକୁ ଚିହ୍ନଟ କରିଥିଲେ ଏବଂ ଏହା ସମୁଦ୍ରରେ ପଡ଼ିବା ପରେ ଇସ୍ରୋ ମଧ୍ୟ ଏହା ନିଶ୍ଚିତ କରିଥିଲା।
‘ଇସ୍ରୋ’ କହିଛି ଯେ, ଉତ୍କ୍ଷେପଣ ହେବାର ୧୨୪ ଦିନ ପରେ ରକେଟ୍ର ଏହି ଅଂଶ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପୁନଃ ପ୍ରବେଶ କରିଛି। ପୁନଃ ପ୍ରବେଶ ପ୍ରସ୍ତୁତିକୁ ବିଜ୍ଞାନ ଭାଷାରେ ‘ପାସିଭେସନ୍’ ପ୍ରକ୍ରିୟା କୁହାଯାଏ। ଏହି ପ୍ରକ୍ରିୟାରେ ରକେଟ୍ର ଉକ୍ତ ଅଂଶରେ ରହିଯାଇଥିବା ଇନ୍ଧନ ବାହାର କରାଯାଇଥାଏ। ଫଳରେ ପୃଥିବୀର ବାୟୁମଣ୍ଡଳକୁ ପୁନଃ ପ୍ରବେଶ କରିବା ବେଳେ ଏଥିରେ ବିସ୍ଫୋରଣ ଆଶଙ୍କା ନ ଥାଏ।
Powered by Froala Editor