ସୁବ୍ରତ ରାୟଙ୍କ ଦେହାନ୍ତ ପରେ ଜମାକାରୀଙ୍କୁ ଚିହ୍ନଟ ପାଇଁ ଉଭା ହୋଇଛି ପ୍ରତିବନ୍ଧକ
ନୂଆଦିଲ୍ଲୀ : ସାହାରା ଗ୍ରୁପ୍ର ମୁଖ୍ୟ ସୁବ୍ରତ ରାୟଙ୍କ ମୁମ୍ବାଇରେ ୭୫ ବର୍ଷ ବୟସରେ ଦେହାନ୍ତ ହେବା ପରେ ସାହାରା ଜମାକାରୀଙ୍କୁ ଟଙ୍କା କେବେ ମିଳିବ ପୁଣି ସେହି ପ୍ରଶ୍ନ ସାମ୍ନାକୁ ଆସିଛି। ସାହାରାଠାରୁ ସଂଗ୍ରହ କରାଯାଇଥିବା ୨୫,୦୦୦ କୋଟି ଟଙ୍କା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପାଖରେ ପଡ଼ିରହିଛି। ତାହା ଏପର୍ଯ୍ୟନ୍ତ ଜମାକାରୀଙ୍କୁ ଫେରସ୍ତ କରାଯାଇନାହିଁ। ଟଙ୍କା ଫେରସ୍ତ ପ୍ରକ୍ରିୟାରେ ସବୁଠୁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରିବା। ଲୋକଙ୍କଠାରୁ ସାହାରା କୋଟି କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହେବା ପରେ ସେହି ଟଙ୍କା ଫେରାଇବା ଲାଗି କୋର୍ଟ କଂପାନିକୁ ନିର୍ଦ୍ଦେଶ ଦେଇଥିଲେ। କଂପାନି ମଧ୍ୟ ଟଙ୍କା ଜମା କରିଥିଲା।
ମାତ୍ର ତାହା ଏପର୍ଯ୍ୟନ୍ତ ଜମାକାରୀଙ୍କ ପାଖକୁ ଫେରୁନାହିଁ। କିଛି ହାତଗଣତି ଜମାକାରୀଙ୍କୁ ବାଦ୍ ଦେଲେ ଅନ୍ୟମାନେ ଏବେବି ନିଜ ଟଙ୍କାକୁ ଚାହିରହିଛନ୍ତି। ପ୍ରାୟ ୩ କୋଟି ନିବେଶକଙ୍କଠାରୁ ସାହାରା ଗ୍ରୁପ୍ର ଦୁଇଟି କଂପାନି ସାହାରା ଇଣ୍ଡିଆ ରିଅଲ୍ ଇଷ୍ଟେଟ୍ କର୍ପୋରେସନ ଲିମିଟେଡ୍ (ଏସ୍ଆଇଆର୍ଇଏଲ୍) ଓ ସାହାରା ହାଉସିଂ ଇନଭେଷ୍ଟମେଣ୍ଟ୍ କର୍ପୋରେସନ ଲିମିଟେଡ୍ (ଏସ୍ଏଚ୍ଆଇସିଏଲ୍) ଟଙ୍କା ହାସଲ କରିଥିବା ଅଭିଯୋଗ ହୋଇଥିଲା। ସେହି ଅଭିଯୋଗକୁ କଂପାନି ଖଣ୍ଡନ କରିବା ସହ ଆରମ୍ଭ ହୋଇଥିଲା ଲମ୍ବା ଆଇନର ଯୁଦ୍ଧ। ଶେଷରେ ୨୦୧୨ରେ ସାହାରାର ସେହି ଦୁଇ କଂପାନିକୁ ୧୫ ପ୍ରତିଶତ ସୁଧ ସହ ଟଙ୍କା ଫେରାଇବାକୁ ସୁପ୍ରିମକୋର୍ଟ କହିଥିଲେ। କଂପାନିକୁ ୨୪ ହଜାର କୋଟି ଟଙ୍କା ଜମା କରିବାକୁ କୁହାଯାଇଥିଲା।
ବାର୍ଷିକ ରିପୋର୍ଟ ଅନୁସାରେ ଏହା ଗତ ୧୧ ବର୍ଷ ଭିତରେ ସାହାରାର ଏହି ଦୁଇ କଂପାନିର ଜମାକାରୀମାନଙ୍କୁ ମାତ୍ର ୧୩୮.୦୭ କୋଟି ଟଙ୍କା ଫେରାଇଛି। ଯେଉଁ ସ୍ବତନ୍ତ୍ର ଖାତାରେ ଟଙ୍କା ଜମା ରଖାଯାଇଥିଲା ତାହାର ପରିମାଣ ଏବେ ୨୫ ହଜାର କୋଟି ଟଙ୍କାରୁ ଅଧିକ ହୋଇଗଲାଣି। ସାହାରାଠାରୁ ବଣ୍ଡ୍ କିଣିଥିବା ନିବେଶକମାନେ ଦାବି ଉପସ୍ଥାପନ କରୁ ନଥିବାରୁ ସେମାନଙ୍କୁ ଟଙ୍କା ଫେରସ୍ତ କରାଯାଇପାରୁନାହିଁ। ସାହାରା ଗ୍ରୁପ୍ର ଚାରି କୋଅପରେଟିଭ ସୋସାଇଟିର ଜମାକାରୀଙ୍କୁ ୫୦୦୦ କୋଟି ଟଙ୍କା ଫେରସ୍ତ କରିବା ଲାଗି ଚଳିତ ବର୍ଷ ଅଗଷ୍ଟରେ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ସିଆର୍ସିଏସ୍-ସାହାରା ରିଫଣ୍ଡ୍ ପୋର୍ଟାଲ୍ ଆରମ୍ଭ କରିଛନ୍ତି।
Powered by Froala Editor