ସଫଳ ହୋଇଛି ସଂକ୍ରମଣ ଚେନ୍ ବ୍ରେକ୍ ପାଇଁ ପ୍ରୟାସ:ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ଵର: ଓଡ଼ିଶାରେ ସଂକ୍ରମଣର ଚେନ୍ ବ୍ରେକ୍ କରିବା ପାଇଁ ଆମ ସମସ୍ତଙ୍କର ଯେଉଁ ପ୍ରୟାସ ଥିଲା ତାହା ସଫଳ ହୋଇଛି ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଏହି ପରି ଯଦି ୫ ପ୍ରତିଶତରୁ ସଂକ୍ରମଣ ହାର କମେ ତେବେ ଆମେ ଯାହା ଆଶା ରଖିଥିଲେ ସେଠାରେ ପହଞ୍ଚିବାକୁ ଆଉ ୭ ରୁ ୮ ଦିନ ସମୟ ଲାଗିବ। ଆମେ ଗୋଟିଏ ଭଲ ସ୍ଥିତିରେ ପହଞ୍ଚି ପାରିବା ବୋଲି ବିଜୟ ମହାପାତ୍ର କହିଛନ୍ତି।
ଓଡ଼ିଶାରେ ଧୀରେ ଧୀରେ କରୋନା ସଂକ୍ରମଣ ହାର କମୁଛି। ଗୋଟିଏ ସମୟ ଥିଲା ଆମର ୨୩ ପ୍ରତିଶତ ଉପରେ ସଂକ୍ରମଣ ହାର ରହୁଥିଲା । ବର୍ତ୍ତମାନ କରୋନା ସଂକ୍ରମଣ ହାର ୯ ପ୍ରତିଶତରେ ପହଞ୍ଚିଲାଣି। ପୂର୍ବରୁ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂକୁ ଗୁରୁତ୍ଵ ଦିଆଯାଉଛି। ଏବେ ରାଜ୍ୟରେ ଟେଷ୍ଟିଂ ବଢିଛି। ସଂକ୍ରମଣ ହାର ଏପରି କମିବା ଭଲ ଲକ୍ଷଣ। କରୋନା ଟ୍ରାନ୍ସମିସନ୍ କମୁଛି। ସର୍ଭିଲାନ୍ସ କାମ ଦେଉଥିବା ଏଥିରୁ ଜଣା ପଡୁଛି ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ଟ୍ରେଣ୍ଡ ଧୀରେ ଧୀରେ କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୪୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା।
Powered by Froala Editor