ଜାନୁଆରୀ ୨୨ରେ ଭବ୍ୟ ରାମ ମନ୍ଦିରର ଉଦଘାଟନ

ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମମନ୍ଦିରର ଉଦଘାଟନ ଆସନ୍ତା ବର୍ଷ ଜାନୁଆରୀ ୨୨ରେ ହେବ। ଆସନ୍ତା ୨୨ ଜାନୁଆରି ୨୦୨୪, ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଅଯୋଧ୍ୟାରେ ବିରାଜମାନ ରାମଲଲ୍ଲାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ସମାରୋହରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମତି ପ୍ରକାଶ କରିଛନ୍ତି ।
ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ। ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ମନ୍ଦିରର ପ୍ରାଣ ପ୍ରତିଷ୍ଠାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ଗ୍ରହଣ କରି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବୋଲି କହିଛନ୍ତି।
ଏ ସମ୍ପର୍କରେ ନିଜେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, “ଜୟ ସିୟାରାମ ! ଆଜିର ଦିନଟି ମୋ ପାଇଁ ବେଶ ଭାବପ୍ରବଣର ଦିନ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧିକାରୀମାନେ ମୋ ବାସଭବନରେ ମୋତେ ଭେଟିବାକୁ ଆସିଥିଲେ। ଶ୍ରୀରାମ ମନ୍ଦିରରେ ପ୍ରାଣ-ପ୍ରତିଷ୍ଠା ଅବସରରେ ସେ ମୋତେ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଛନ୍ତି। ମୁଁ ନିଜେ ବହୁତ ଧନ୍ୟ ଅନୁଭବ କରୁଛି । ଏହା ମୋର ସୌଭାଗ୍ୟ ଯେ ମୁଁ ମୋ ଜୀବନକାଳରେ ଏହି ଐତିହାସିକ ଘଟଣାର ସାକ୍ଷୀ ହେବି ।“
ସୂଚନା ଅନୁଯାୟୀ, ଏହି ପ୍ରତିଷ୍ଠା ସମୟରେ ଦେଶର ସମସ୍ତ ପ୍ରମୁଖ ମନ୍ଦିରରେ ଉତ୍ସବ ପାଳନ କରାଯିବ। ପ୍ରତିଷ୍ଠା ଦିନ ମନ୍ଦିର ପରିସରକୁ ପ୍ରାୟ ୧୦ ହଜାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ।
Powered by Froala Editor