୧୫ ଟଙ୍କା ପାଇଁ ଭୀଷଣ ବିବାଦ: ଚା ଦୋକାନୀକୁ ଗୁଳି କରି ହତ୍ୟା
ମିରଟ: ୧୫ ଟଙ୍କା ପାଇଁ ଭୀଷଣ ବିବାଦ ହେବାରୁ ଉତ୍ତର ପ୍ରଦେଶର ମିରଟରେ ୨ଜଣ ଅଚିହ୍ନା ବାଇକ୍ ଆରୋହୀ ଦୁର୍ବୃତ୍ତ ଜଣେ ଚା ଦୋକାନୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି।
ପୁଲିସ କହିଛି, ତମାଖୁ ପାକେଟ୍ କିଣା ବାବଦକୁ ୧୫ ଟଙ୍କା ନ ଦେବାରୁ ୫୮ ବର୍ଷିୟ ଚା ଦୋକାନୀ ଓ ୨ ଅଜ୍ଞାତ ବାଇକ୍ ଆରୋହୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କ୍ରମେ ଝଗଡ଼ା ଉଗ୍ର ହେଲା ଓ ବାଇକ୍ ଆରୋହୀମାନେ ଚା ଦୋକାନୀକୁ ଗୁଳି ମାରି ହତ୍ୟା କଲେ। ହତ୍ୟାକାଣ୍ଡ ବିଷୟରେ ଦିନ ୧ଟା ବେଳେ ଆମକୁ ସୂଚନା ଦେଇଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ମୋଟର୍ସାଇକେଲ୍ରେ ୨ ଜଣ ଲୋକ ଆସି ଓଁକାର ସିଂହଙ୍କ ଚା ଦୋକାନରେ ତମାଖୁ ପ୍ୟାକେଟ୍ ମାଗିଲେ। ସେ ବାବଦକୁ ସିଂହ ୧୫ ଟଙ୍କା ମାଗିବାରୁ ଦୁହେଁ ଦେବାକୁ ମନା କଲେ ଓ ଝଗଡ଼ା ଲାଗିଲା। ଝଗଡ଼ା ପ୍ରବଳ ହେବାରୁ ଉତ୍କ୍ଷିପ୍ତ ହୋଇ ମୋଟର୍ସାଇକେଲ୍ ଆରୋହୀଙ୍କ ମଧ୍ୟରୁ ଜଣେ ପିସ୍ତଲ୍ ବାହାର କରି ଚା ଦୋକାନୀ ଓଁକାର ସିଂହଙ୍କ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଗଲେ। ଗୁଳି ଚୋଟରେ ଘଟଣାସ୍ଥଳରେ ହିଁ ଓଁକାରଙ୍କର ମୃତ୍ୟୁ ଘଟିଲା।
ଶବ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ୨ ଅଚିହ୍ନା ଦୁର୍ବୃତ୍ତଙ୍କୁ ଠାବ କରିବା ଲାଗି ଉଦ୍ୟମ ଚାଲିଥିବା କଥା ତଦନ୍ତକାରୀ ପୁଲିସ କହିଛି।
Powered by Froala Editor