ସାନ ସିନା ଦାନ ତା’ ମହାନ : ୬ ଅଙ୍ଗ ଦାନ କରିଦେଲା ନବଜାତ

ଅଙ୍ଗଦାନ ମହତଦାନ । ହେଲେ ଜନ୍ମ ହେଉ ହେଉ ଅଙ୍ଗ ଦାନ କରିବା ବୋଧହୁଏ ବିରଳ ଘଟଣା । ହଁ ସୁରତରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଛାତିରେ ପଥର ରଖି ୪ ଦିନର ନବଜାତ ୬ଟି ଅଙ୍ଗକୁ ଦାନ କରିଛନ୍ତି ବାପା ମା’ ।
ଅକ୍ଟୋବର ୧୩ରେ ସୁରତର ସର ଥାନାରେ ରହୁଥିବା ହର୍ଷଙ୍କ ପତ୍ନୀ ଚେତନା ଏକ ସନ୍ତାନ ଜନ୍ମ ଦେଇଥିଲେ। ଶିଶୁଟି ଜନ୍ମ ହେବା ପରେ ପରେ ବେହୋସ ହୋଇ ପଡ଼ିଥିଲା । ଆଇସିୟୁରେ ରଖାଯିବା ପରେ ମଧ୍ୟ ଶିଶୁଟିକୁ ବଞ୍ଚାଯାଇପାରିନଥିଲା। ବୁଧବାର ଡାକ୍ତର ପିଲାଟିକୁ ବ୍ରେନ ଡେଡ୍ ଘୋଷଣା କରିବା ପରେ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ମାତ୍ର ସେମାନେ ମନୋବଳକୁ ସୁଦୃଢ କରି ପିଲାଟିର ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଶିଶୁର କିଡନୀ, ଲିଭର ସହ ଆଉ କିଛି ଅଙ୍ଗକୁ ଦାନ କରାଯାଇଛି। ଶିଶୁର ଅଙ୍ଗ ଦ୍ୱାରା ୬ଟି ଶିଶୁଙ୍କୁ ନୂଆ ଜୀବନ ମିଳିପାରିଛି।
ଭଗବାନ ନିଜ କୋଳରୁ ପିଲାଟିକୁ ଛଡ଼ାଇ ନେଇଥିବା ବେଳେ ଆଉ କାହାକୁ ଏ କଷ୍ଟ ନ ମିଳୁ ବୋଲି ଶିଶୁର ବାପା ମା କହିଛନ୍ତି ।
Powered by Froala Editor