ଏବେବି ୨୦୧୮ ଠାରୁ ଖରାପ ରହିଛି ଭାରତର ଦାରିଦ୍ର୍ୟ ସ୍ଥିତି
ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ସମୟରେ ବିଶ୍ବବ୍ୟାପୀ ଗରିବ ଲୋକଙ୍କ ସଂଖ୍ୟା ବଢ଼ିଥିଲା। ଏହାର ପ୍ରଭାବରେ ସବୁ ଦେଶରେ ଉତ୍କଟ ଦାରିଦ୍ର୍ୟ ମଧ୍ୟ ବଢ଼ିଥିଲା। ଭାରତରେ କିନ୍ତୁ ଏହାର ପୂର୍ବବର୍ଷ ଅର୍ଥାତ ୨୦୧୯ରେ ଦାରିଦ୍ର୍ୟ କବଳରେ ଥିବା ଲୋକଙ୍କ ସଂଖ୍ୟା ୧୭.୬୦ କୋଟିକୁ ବୃଦ୍ଧି ପାଇଥିଲା। ୨୦୧୮ରେ ତା’ଠାରୁ କମ୍ ଲୋକ ଅର୍ଥାତ ୧୫.୧୭ କୋଟି ଲୋକ ଦାରିଦ୍ର୍ୟ କବଳରେ ଥିଲେ। ୨୦୨୦ରେ ଦାରିଦ୍ର୍ୟ କବଳରେ ଥିବା ଲୋକଙ୍କ ସଂଖ୍ୟା ୨୦.୫ କୋଟିକୁ ବୃଦ୍ଧି ପାଇଥିଲା। ୨୦୨୧ରେ ଦାରିଦ୍ର୍ୟ ଦୂରୀକରଣରେ ଭାରତକୁ ଉଲ୍ଲେଖନୀୟ ସଫଳତା ମିଳିଥିଲା। ଦାରିଦ୍ର୍ୟରେ ଜୀବନ କାଟୁଥିବା ଲୋକଙ୍କ ସଂଖ୍ୟା ୧୬.୭୪ କୋଟିକୁ ହ୍ରାସ ପାଇଥିଲା। କିନ୍ତୁ କିଛି ବର୍ଷ ପଛକୁ ଦେଖିଲେ ଜଣାପଡ଼ୁଛି ଯେ ଭାରତର ଦାରିଦ୍ର୍ୟ ସ୍ଥିତି ଏବେବି ୨୦୧୮ଠାରୁ ଖରାପ ରହିଛି।
ବିଶ୍ବବ୍ୟାଙ୍କ ଜଣାଇଥିଲା ଯେ ୨୦୨୦ ଦାରିଦ୍ର୍ୟ ଦୂରୀକରଣ ଲାଗି ସବୁଠୁ ଖରାପ ବର୍ଷ ସାବ୍ୟସ୍ତ ହେବ। ଭାରତରେ ୫.୬ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ କବଳରେ ପଡ଼ିବେ। ଏ ସମ୍ପର୍କରେ ଯୋଜନା କମିସନର ପୂର୍ବତନ ସଦସ୍ୟ ଏନ୍ ସି ସକ୍ସେନା କହିଛନ୍ତି ଯେ ୨୦୦୫-୧୫ ପର୍ଯ୍ୟନ୍ତ ଭିତ୍ତିଭୂମିରେ ବ୍ୟାପକ ନିବେଶ ହେବା କାରଣରୁ ବହୁ ଲୋକ ସେଥିରେ ନିୟୋଜିତ ହୋଇଥିଲେ। ୨୦୧୫ ପରେ ସେହି ନିବେଶ କମ୍ ହେବାରୁ ବହୁ ଲୋକ ଜୀବିକା ହରାଇଥିଲେ। ଗତ କିଛି ବର୍ଷ ମଧ୍ୟରେ ବେତନରେ ସେଭଳି ଆଖିଦୃଶିଆ ବୃଦ୍ଧି ହୋଇନି। ଶ୍ରମଶକ୍ତିରେ ଥିବା ଲୋକଙ୍କ ସଂଖ୍ୟା ବି ବଢ଼ିନି ବୋଲି ସେ କହିଛନ୍ତି। ତେଣୁ ୨୦୩୦ ସୁଦ୍ଧା ଦାରିଦ୍ର୍ୟ ଦୂରୀକରଣ ଲାଗି ଜାତିସଂଘ ଧାର୍ଯ୍ୟ କରିଥିବା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
Powered by Froala Editor