ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ବିଜେପି ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଧରାପଡ଼ିଛି। ଦିଲ୍ଲୀ ପୁଲିସ ଅଭିଯୁକ୍ତକୁ ବାଙ୍ଗାଲୁରୁରୁ ଧରିଥିବା ଜଣାପଡ଼ିଛି।
ଶ୍ରୀ ପଣ୍ଡାଙ୍କୁ ଅଭିଯୁକ୍ତ ଜଣଙ୍କ ଫୋନରେ ହତ୍ୟା କରିବା ପାଇଁ ଧମକ ଦେଇଥିଲା। ଏନେଇ ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ କାର୍ୟ୍ୟାଳୟର ପକ୍ଷରୁ ଏତଲା ଦିଆଯାଇଥିଲା। ଦିଲ୍ଲୀ ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତର ଫୋନ୍କୁ ଟ୍ରାକ୍ କରିଥିଲା। ଅଭିଯୁକ୍ତ ବାଙ୍ଗାଲୁରୁରେ ଥିବା ଦିଲ୍ଲୀ ପୁଲିସ ଜାଣିବାକୁ ପାଇଥିଲା। ସ୍ୱତନ୍ତ୍ର ପୁଲିସ ଟିମ୍ ବାଙ୍ଗାଲୁରୁ ଯାଇ ଅଭିଯୁକ୍ତକୁ ଧରି ଦିଲ୍ଲୀ ଆଣିଥିଲା। ପରେ ଅଭିଯୁକ୍ତକୁ ଦିଲ୍ଲୀ ପୁଲିସ ଜେରା କରିଥିଲା।ଜେରା ବେଳେ ଅବସାଦ ହେତୁ ଏମିତି ଫୋନ୍ କରିଥିବା ଅଭିଯୁକ୍ତ ପୁଲିସ ଆଗରେ କହିଥିଲା। ଏହାସହ ଫୋନ୍ କରିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଥିଲା। ଏନେଇ ଅଭିଯୁକ୍ତ କ୍ଷମା ମାଗିବା ସହ ଭବିଷ୍ୟତରେ ଏଭଳି କରିବନି ବୋଲି ପୁଲିସକୁ ଲିଖିତ ଭାବେ ଦେଇଥିବା ଜଣାପଡ଼ିଛି।ଅନ୍ୟପକ୍ଷରେ ସତ ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ବିରୋଧରେ କୌଣସି ଚାର୍ଜ ନ ଲଗାଇ ଛାଡ଼ି ଦେବାକୁ ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ ଅଫିସ ପକ୍ଷରୁ ଦିଲ୍ଲୀ ପୁଲିସକୁ କୁହାଯାଇଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ ସହାୟକଙ୍କୁ ଅଭିଯୁକ୍ତ ଜଣଙ୍କ କଲ୍ କରି ଧମକ ଦେଇଥିଲା। ନବ ଦାସଙ୍କ ଅବସ୍ଥା ଯାହା ହେଲା ତାହା ଜୟ ପଣ୍ଡାଙ୍କର ହେବ’ ବୋଲି କହିଥିଲା।
Powered by Froala Editor