ରାଗିଗଲେ ସାଂସଦ, ଟଏଲେଟ୍ ସଫା କଲେ ଡାକ୍ତରଖାନା ଡିନ୍
ମହାରାଷ୍ଟ୍ରର ଶଙ୍କରରାଓ ଚୌହାନ ସରକାରୀ ଡାକ୍ତରଖାନାରେ ୪୮ ଘଣ୍ଟାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଖବରର ଶିରୋନାମା ପାଲଟିଥିଲା। ତେବେ ଶିବସେନା ସାଂସଦ ହେମନ୍ତ ପାଟିଲ ଡାକ୍ତରଖାନାର ଡିନ୍ ଶ୍ୟାମରାଓ ୱାକୋଡେଙ୍କୁ ଡାକ୍ତରଖାନାର ଏକ ଟଏଲେଟ ସଫା କରିବାକୁ କହିଥିଲେ। ଜଣେ ଜନପ୍ରତିନିଧି କହୁଥିବାରୁ ବାଧ୍ୟ ହୋଇ ସେ ଟଏଲେଟ୍ ସଫା କରିଥିଲେ। ଅବଶ୍ୟ ସେ ଟଏଲେଟ୍ରେ ବ୍ରଶ୍ ବୁଲାଉଥିବା ବେଳେ ସାଂସଦ ପାଇପ ଧରି ପାଣି ପକାଉଥିବା ଦେଖିବାକୁ ମିଳିଥିଲା।
ସୋମବାର ହସ୍ପିଟାଲରେ ୨୪ ଘଣ୍ଟାରେ ୨୪ ଜଣଙ୍କ ମୃତ୍ୟୁ ନେଇ ରିପୋର୍ଟ ହୋଇଥିଲା। ୪୮ ଘଣ୍ଟାରେ ଏହି ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ତେବେ ୭୧ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି।୪୮ ଘଣ୍ଟାରେ ୩୧ ଜଣଙ୍କ ମୃତ୍ୟୁ ଜାତୀୟ ଖବର ପାଲଟି ଯାଇଥିବା ବେଳେ ସାଂସଦ ହେମନ୍ତ ପାଟିଲ ଏଠାକୁ ସ୍ଥିତି ଦେଖିବାକୁ ଆସିଥିଲେ। ସେ ଡାକ୍ତରଖାନାରେ ବୁଲୁଥିବା ବେଳେ ଏକ ଟଏଲେଟ ଭାରି ଅପରିଷ୍କାର ହୋଇଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସେ ଫିଡ଼ିକି ଯାଇଥିଲେ ଓ ଡାକ୍ତରଖାନାର ଡିନ୍ ଶ୍ୟାମରାଓ ୱାକୋଡେଙ୍କୁ ସଫା କରିବା ପାଇଁ କହିଥିଲେ।
ଭିଡିଓରେ ଦେଖାଯାଉଛି ଯେ ସାଂସଦ ହେମନ୍ତ ପାଟିଲ ଏକ ପାଇପ୍ ଧରି ଛିଡା ହୋଇଛନ୍ତି। ଡିନ୍ ଶୌଚାଳୟ ଭିତରେ ସଫା କରିବା ଝାଡୁ ଓ ବ୍ରସ୍ ଧରି ସଫା କରୁଛନ୍ତି। ଶ୍ରୀଯୁକ୍ତ ପାଟିଲ ଶୋଚାଳୟ ଭିତରକୁ ଏକ ପାଇପ୍ ପାଣି ସ୍ପ୍ରେ କରୁଛନ୍ତି।
ଏହି ଘଟଣାରେ ମେଡିକାଲ ଅବହେଳା ଓ ଔଷଧ, ଡାକ୍ତର ଅଭାବକୁ ନେଇ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ହସ୍ପିଟାଲ ଡିନ୍ ଓ୍ୱାକଡେ। ଏନେଇ ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ବିଜେପି ସରକାର ହଜାର ହଜାର କୋଟି ଟଙ୍କା ପ୍ରଚାରରେ ଖର୍ଚ୍ଚ କରୁଛନ୍ତି। କିନ୍ତୁ ପିଲାମାନଙ୍କ ଔଷଧ କିଣିବା ପାଇଁ ଟଙ୍କା ନାହିଁ।
Powered by Froala Editor