ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ କୁମ୍ଭୀର

ମୁମ୍ବାଇ ଦାଦରର ଶିବାଜୀ ପାର୍କରେ କୁମ୍ଭୀର ଆତଙ୍କ। ମଙ୍ଗଳବାର ସକାଳେ ପାର୍କ ସୁଇମିଂ ପୁଲକୁ ଏକ କୁମ୍ଭୀର ଛୁଆ ପଶି ଆସିଥିଲା ବୋଲି ଜଣାପଡ଼ିଛି। ତେବେ ପ୍ରତିଦିନ ସୁଇମିଂ ଆରମ୍ଭ ହେବା ପୂର୍ବରୁ ସବୁ ଚେକ୍ କରୁଥିବା ଲାଇଫଗାର୍ଡଙ୍କ ଆଖିରେ କୁମ୍ଭୀରଟି ପଡ଼ିବାରୁ ସେ ତାକୁ ପାଣି ଭିତରୁ ବାହାର କରିଥିଲେ। ବାହାର କରିବା ସମୟରେ କୁମ୍ଭୀରଟି ତାଙ୍କୁ କାମୁଡ଼ି ଦେଇଥିଲା ବୋଲି କୁହାଯାଉଛି। ସକାଳ ସମୟରେ କେହି ସୁଇମିଂ ପୁଲ ଭିତରେ ନଥିବାରୁ କୁମ୍ଭୀରଟି କାହାକୁ ଆକ୍ରମଣ କରିପାରିନଥିବା କୁହାଯାଉଛି।
ଏହି ଛୁଆ କୁମ୍ଭୀରଟି କେମିତି ସୁଇମିଂ ପୁଲ ଭିତରକୁ ଆସିଲା ତାକୁ ନେଇ ଅନୁସନ୍ଧାନ ଜାରି ରହିଛି। ତେବେ ସୁଇମିଂ ପୁଲରେ କୁମ୍ଭୀର ପହଁରୁଥିବାର ଭିଡ଼ିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
କୁମ୍ଭୀର ଛୁଆକୁ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। କୁମ୍ଭୀରଟି ନିକଟସ୍ଥ ଏକ ଘରୋଇ ପ୍ରାଣୀ ଉଦ୍ୟାନରୁ ଆସିଥିବ ବୋଲି ସନ୍ଦେହ କରାଯାଉଛି।
ଅନ୍ୟପକ୍ଷରେ ମହାରାଷ୍ଟ୍ର ନବନିର୍ମାଣ ସେନା ନେତା ସନ୍ଦୀପ ଦେଶପାଣ୍ଡେ ଘରୋଇ ପ୍ରାଣୀ ଉଦ୍ୟାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି।
Powered by Froala Editor