ରାଜଧାନୀରେ ସଙ୍ଗୀନ ହେଲାଣି ଡେଙ୍ଗୁ ସ୍ଥିତି, ୮ ଦିନରେ ୬ଶହ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ସ୍ଥିତି ସଙ୍ଗୀନ ହେଲାଣି। ଗତ ୮ ଦିନରେ ୬ଶହ ଆକ୍ରାନ୍ତ ଚିହ୍ନଟ ହେଲେଣି। ଡେଙ୍ଗୁ ମୁକାବିଲା ପାଇଁ ବିଏମ୍ସି ଯାହା ଯାହା ପ୍ରସ୍ତୁତି କରିଥିଲା ତାହା ସବୁ ଫେଲ୍ ମାରିଲାଣି।ଘରେ ଘରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି। ସ୍ଥିତି ସଙ୍ଗୀନ୍ ହେବା ପରେ ଆଜି କମିସନର ବିଜୟ ଅମୃତା କୁଲାଙ୍ଗେ ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରତ୍ୟେକ ଦିନ ‘ଘର ଘର ସମ୍ପର୍କ ଅଭିଯାନ’ କରିବା ପାଇଁ ଘୋଷଣା ହୋଇଥିଲେ ମଧ୍ୟ ଏହା ନିୟମିତ ହେଉନଥିବା ଜଣାପଡ଼ିଛି। ଏଣୁ ଆସନ୍ତା ୭ ଦିନ ପର୍ୟ୍ୟନ୍ତ ଏହି ଅଭିଯାନ ନିୟମିତ କରିବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି।
ଆଚାର୍ୟ୍ୟ ବିହାର ଅଞ୍ଚଳରେ ୧୧୬ ଆକ୍ରାନ୍ତ ଥିବା ବେଳେ ନୂଆପଲ୍ଲୀ ଅଞ୍ଚଳରେ ୧୪୬ ଆକ୍ରାନ୍ତ ରହିଛନ୍ତି। ଏହି ଅଞ୍ଚଳ ସମେତ ସହିଦ ନଗର, ପଟିଆ, ଓ ୟୁନିଟ-୯ ଅଞ୍ଚଳରେ କାର୍ୟ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି। ଡେଙ୍ଗୁ ଓ ପରିମଳକୁ ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ବଢ଼ିବାରେ ଲାଗିଛି। ଅଧିକାଂଶ ଅଞ୍ଚଳରୁ ବୁଦା କଟା ଯାଉନାହିଁ। କଞ୍ଜର୍ଭାନ୍ସି ଲେନ୍ରୁ ବାହାରୁଥିବା ଆବର୍ଜନା ଦୀର୍ଘ ଦିନ ଧରି ରାସ୍ତା ଉପରେ ଜମା ହୋଇ ରହୁଛି। ଅନେକ ଜାଗାରେ ସ୍ବେରେଜ୍ ଚାମ୍ବରରୁ ଆବର୍ଜନା ପାଣି ନିୟମିତ ଲିକ୍ ହୋଇ ରାସ୍ତାକଡ଼ରେ ଜମା ହୋଇ ରହୁଛି। ଫଳରେ ସନ୍ତସନ୍ତିଆ ପରିବେଶ ସୃଷ୍ଟି ହେଉଛି। ଆହୁରି ଆଶ୍ଚର୍ୟ୍ୟ କଥା ହେଉଛି, କେବଳ ଟ୍ବିଟିର୍ରେ ଅଭିଯୋଗ କଲେ ହିଁ ବିଏମ୍ସି ବାଧ୍ୟ ହୋଇ ସେହି ଅଭିଯୋଗକୁ ସମାଧାନ କରିବାକୁ କିଛିଟା ତତ୍ପରତା ଦେଖାଉଛି। ଅନ୍ୟ କୌଣସି ଫୋରମ୍ରେ ବା ମାଧ୍ୟମରେ ଅଭିଯୋଗ ସମାଧାନ ହେଉନଥିବା ଅଭିଯୋଗ ହୋଇଛି
Powered by Froala Editor