ମୁଁ ଦଳ କାହିଁକି ଛାଡ଼ିବି: ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମନ୍ତ୍ରୀ ପ୍ରତାପ ଦେବ ଟାର୍ଗେଟ କରିବା ପରେ ଶ୍ରୀ ପଟ୍ଟନାୟକ ତାଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପ୍ରତାପଙ୍କୁ ଧନ୍ୟବାଦ,ମୋ କଥା କିଛି ପରିମାଣରେ ତାଙ୍କୁ ଆଘାତ ଦେଇଛି । ପ୍ରତାପ ଦେବ ପରାମର୍ଶ ଦେଇଛନ୍ତି । ତେବେ ତାଙ୍କ କଥା କ’ଣ ବେଦର ଗାର ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ମୁଁ ତିନୋଟି ଭୂମିକାରେ ଅଛି । ତେଣୁ ଦ୍ୱନ୍ଦ୍ୱ ରହିବା ସ୍ୱାଭାବିକ । ଯାହା ସମ୍ପାଦକୀୟରେ ଲେଖୁଛି, ତାହା କିଭଳି ଅନୁଶଶସନ ବାହାରେ ମୁଁ ବୁଝିପାରୁନି । ମୁଁ ବିଜେଡିକୁ ଭଲପାଏ, ଦଳର ଦୋଷ ଦୁର୍ବଳତା ସୁଧାରିବା ମୋର ବି ଦାୟିତ୍ୱ । ମୁଁ ଦଳ କାହିଁକି ଛାଡ଼ିବି । ଦଳର ନିଲମ୍ବନ ଅଧିକାର ଅଛି, ସେମାନେ କରିପାରିବେ । ଦଳ ଶକ୍ତିଶାଳୀ ଅଛି ବୋଲି ଆମେ ନାହିରେ ତେଲ ଦେଇ ବସିବା ନାହିଁ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି ।
ପ୍ରକାଶ ଯେ ଗତ କିଛି ଦିନ ହେଲା ଜଣେ ପରେ ଜଣେ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଛନ୍ତି । ପ୍ରଥମେ ବିଧାୟକ ଅରୁଣ ସାହୁ, ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଆଜି ଏଥିରେ ମନ୍ତ୍ରୀ ପ୍ରତାପ ଦେବ ସାମିଲ ହୋଇଛନ୍ତି ।
ପ୍ରତାପ ଦେବ କହିଛନ୍ତି ଯେ ବିଜେଡି ବିଧାୟକ ହୋଇ ସୌମ୍ୟରଞ୍ଜନ ନିରନ୍ତର ବିଜେଡିକୁ ସମାଲୋଚନା କରୁଛନ୍ତି । ନିଜ ଦଳ ଓ ସରକାରଙ୍କୁ ସୌମ୍ୟରଞ୍ଜନ ସମାଲୋଚନା କରୁଛନ୍ତି । ଯଦି ସମାଲୋଚନା କରିବାର ଅଛି ତେବେ ସେ ଦଳରୁ ବାହାରିଯାଇ କରନ୍ତୁ । ୫-ଟି ସଚିବଙ୍କୁ ବିଭିନ୍ନ ଜିଲ୍ଲଶ ଗସ୍ତକୁ ପଠାଉଥିବା ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ପରେ ପୁଣି ସମାଲୋଚନା କାହିଁକି ବୋଲି ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି । ତେବେ ସମାଲୋଚନା କରିବା ସୌମ୍ୟ ବାବୁଙ୍କ ବ୍ଲାକମେଲିଂ ପ୍ରାକ୍ଟିସ । ସୌମ୍ୟ ବାବୁ ଦଳୀୟ ଅନୁଶାସନ ଭଙ୍ଗ କରୁଛନ୍ତି । ଦଳରୁ ବାହାରି ସେ ସମ୍ପାଦକୀୟ ଲେଖିବା ସହ ସମାଲୋଚନା କରନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି ।
Powered by Froala Editor