ରାସଗୋବିନ୍ଦପୁର ବିମାନବନ୍ଦରର ବିକାଶ କାର୍ୟ୍ୟ: ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର : ଅମର୍ଦ୍ଦାରୋଡସ୍ଥିତ ରାସଗୋବିନ୍ଦପୁର ବିମାନବନ୍ଦରର ବିକାଶ କାର୍ୟ୍ୟ ଆରମ୍ଭ ହେବ। ଏହି ବିମାନବନ୍ଦରର ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ୨୬ କୋଟି ୩ ଲକ୍ଷ ୧୦ ହଜାର ଟଙ୍କା ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନ ଡିଆର୍ଡିଓ ଚାନ୍ଦିପୁରକୁ ପ୍ରଦାନ କରିବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଉଡାନ୍ ୪.୨ ଅଧିନରେ ଆରସିଏସ୍ ଯୋଜନାକ୍ରମେ ଏହି ବିମାନବନ୍ଦରରୁ ଭୁବନେଶ୍ୱର-ଅମର୍ଦ୍ଦାରୋଡ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ପାଇଁ ଏୟାର ଟ୍ୟାକ୍ସି କମ୍ପାନୀକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଜମି ଅଧିଗ୍ରହଣ ଅର୍ଥ ଜମା କରି ସାରିଥିବାରୁ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଜମିର ମାଲିକାନା ହସ୍ତାନ୍ତର ପ୍ରକ୍ରିୟା ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି। ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏହି ଜମିର ମାଲିକାନା ହସ୍ତାନ୍ତର କରାଯିବା ପରେ ରାଜ୍ୟ ସରକାର ଏଠାରେ ଉନ୍ନୟନ କାର୍ୟ୍ୟ ହାତକୁ ନେବେ। ଏହା ପରେ ଏୟାର ଟ୍ୟାକ୍ସି ପକ୍ଷରୁ ବିଧିବଦ୍ଧ ବିମାନ ସେବା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହାର ପାଇଁ ନିର୍ମାଣ କରାଯାଇ ଥିବା ରାସଗୋବିନ୍ଦପୁର ବିମାନବନ୍ଦର ଏବେ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ରହିଛି। ଆରସିଏସ୍/ଉଡ଼ାନ୍ ଯୋଜନାରେ ଏଠାରୁ ବିମାନ ଚଳାଚଳ ଆରମ୍ଭ ପାଇଁ ରାଜ୍ୟ ସରକାର ଏବଂ ବିଭିନ୍ନ ନାଗରିକ ସଂଗଠନ ଦାବି କରିବା ପରେ କେନ୍ଦ୍ର ସରକାର ଏହାକୁ ଯୋଜନାରେ ସାମିଲ କରିଥିଲେ। ଗତ ବର୍ଷ ଫେବୃଆରୀ ମାସରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର ସଚିବଙ୍କୁ ପତ୍ର ଲେଖି ଏଠାରୁ ବିମାନ ଚଳାଚଳ ଆରମ୍ଭ ନିମନ୍ତେ ଅନୁରୋଧ କରିଥିଲେ। ବିମାନବନ୍ଦରର ୧୬୦.୩୫ ଏକର ଜମି ହସ୍ତାନ୍ତର ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟ ସଚିବ ପ୍ରତିଶ୍ରୁତି ଦେଇଥିଲେ।
Powered by Froala Editor