ମୁଁ ଜାତୀୟ ପୁରସ୍କାର ପାଇବା କଥା, କିନ୍ତୁ...

ମୋତେ ପଦ୍ମଭୂଷଣ ମଧ୍ୟ ମିଳିବାର ଥିଲା। ଯଦି ମୁଁ କହେ ଯେ, ମୁଁ ଦୁଃଖ ଅନୁଭବ କରୁ ନାହିଁ, ତେବେ ଏହା ଭୁଲ ହେବ। ମୋର ବହୁତ କିଛି ପାଇବା ଉଚିତ୍, ଯାହା ମୁଁ ପାଇ ନାହିଁ। ଯଦିଓ ଏହା ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ନୁହେଁ। ପୁରସ୍କାର ଦେବା ନଦେବା ହେଉଛି ତାଙ୍କର ମତ। ଏହା ବହୁତ କଷ୍ଟ ଦିଏ, ଯେତେବେଳେ ମୁଁ ଦେଖେ ଯେ ଏତେ କିଛି ହାସଲ କରିବା ପରେ ମଧ୍ୟ ମୁଁ ଜାତୀୟ ପୁରସ୍କାର ପାଇ ନାହିଁ। ବର୍ତ୍ତମାନ ଏହା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ଏପରି କହି କ୍ଷୋଭ ପ୍ରକାଶ କରିଛନ୍ତି ବଲିଉଡର ଜଣାଶୁଣା ଗାୟକ କୁମାର ସାନୁ ।
ସାନୁ ଚାରି ଦଶନ୍ଧି ଧରି ବଲିଉଡ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଛନ୍ତି। ନିକଟରେ ସେ 'ଗନ୍ସ ଆଣ୍ଡ ଗୁଲାବ' ଚଳଚ୍ଚିତ୍ର ପାଇଁ 'ଦୋ ରାଜି' ଗୀତ ଗାଇଥିଲେ। ୯୦ଦଶକର ସ୍ୱାଦରେ ନିର୍ମିତ ଏହି ଗୀତକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ତେବେ ସୁପରହିଟ ଗୀତ ଗାଇବା ପରେ ବି ଜାତୀୟ ପୁରସ୍କାର ନମିଳିବାରୁ ଏକ ସାକ୍ଷାତକାରରେ କୁମାର ସାନୁ ନିଜର ଦୁଃଖ ଜଣାଇଛନ୍ତି।
ସେ କହିଛନ୍ତି, ମୁଁ ବୁଝିସାରିଛି ଯେ ଯଦି ଆପଣଙ୍କର ବଡ଼ ବଡ଼ ଲୋକଙ୍କ ସହ ସମ୍ପର୍କ ନାହିଁ ଏବଂ ଆପଣ ମିଛ ପ୍ରଶଂସା କରି ଜାଣି ନାହାଁନ୍ତି, ତେବେ ଆପଣ ଏହି ପୁରସ୍କାର ପାଇପାରିବେ ନାହିଁ।
Powered by Froala Editor