ଚନ୍ଦ୍ରପୃଷ୍ଠରେ ୮ ମିଟର ଗତି କଲା ରୋଭର
ନୂଆଦିଲ୍ଲୀ: ଭାରତ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ସଫଳତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସାରା ବିଶ୍ୱ ଏ କ୍ଷେତ୍ରରେ ଘଟୁଥିବା ପ୍ରତ୍ୟେକଟି ଘଟଣାକୁ ଦେଖିବାରେ ଲାଗିଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା-ଇସ୍ରୋ ପକ୍ଷରୁ ଏକ ନୂଆ ଭିଡିଓ ଜାରି କରାଯାଇଛି ଯେଉଁଥିରେ ଲ୍ୟାଣ୍ଡର ମଧ୍ୟରୁ ରୋଭର କିଭଳି ଭାବରେ ବାହାରକୁ ଆସୁଛି ଓ ଚନ୍ଦ୍ରପୃଷ୍ଠରେ ଭାରତର ଛାପ ଛାଡ଼ିଛି ତାହା ଦେଖାଯାଉଛି। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରୋଭର ଚନ୍ଦ୍ରପୃଷ୍ଠରେ ୮ ମିଟର ଗତି କରିଛି। ସେଥିରେ ବ୍ୟବହୃତ ସମସ୍ତ ଯନ୍ତ୍ରାଂଶ ସଫଳ ଭାବେ କାର୍ୟ୍ୟ କରୁଛି। ଏହି ୬ ଚକିଆ ରୋଭରର ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର, ଉଚ୍ଚତା ୩୯.୭ ସେଣ୍ଟିମିଟର ଏବଂ ଓଜନ ୨୬ କେଜି।
ଚଳିତ ମାସ ୨୩ରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ବୈଜ୍ଞାନିକ ମାନେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କମାଣ୍ଡ ସେଣ୍ଟର ଠାରେ ଅହରହ ଉଦ୍ୟମ କରୁଛନ୍ତି। ଏହାର ଫଳ ସ୍ୱରୂପ ପ୍ରଥମେ ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ସହଜ ଏବଂ ସୁକ୍ଷ୍ମ ଅବତରଣ ପରେ ତାର ଫଟୋଚିତ୍ର ପଠାଇଥିଲା। ସେଥିରେ ଚନ୍ଦ୍ରଯାନ-୩ର ଗୋଟିଏ ଗୋଡ଼ର ଛାଇ ଚନ୍ଦ୍ରପୃଷ୍ଠରେ ପଡିଥିବାର ଦେଖାଯାଉଥିଲା। ଇସ୍ରୋର ସୂଚନା ଅନୁଯାୟୀ, ଚନ୍ଦ୍ରପୃଷ୍ଠରେ ଆଜି ଯାଏଁ ଅବତରଣ କରିଥିବା ବିଭିନ୍ନ ଦେଶର ମହାକାଶ ଯାନ ପଠାଇଥିବା ଫଟୋଚିତ୍ର ଠାରୁ ଏହି ଫଟୋଚିତ୍ର ସବୁଠାରୁ ଅଧିକ ରିଜଲ୍ୟୁସନର ଅଟେ।
Powered by Froala Editor