ଓଡ଼ିଶାର ପ୍ରଗତିକୁ ଯେଉଁମାନେ ସହି ପାରୁ ନାହାନ୍ତି, ସେମାନେ ଏଭଳି କାମ କରୁଛନ୍ତି: ଲେନିନ୍ ମହାନ୍ତି
ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଦାବି ହୋଇଛି । ଏଥିସହିତ ଘଟଣା ପଛରେ ଆଉ କେଉଁମାନେ ଅଛନ୍ତି, ସେନେଇ ଉଚିତ ତଦନ୍ତ ହେବା ଦରକାର ବୋଲି ବିଭିନ୍ନ ମହଲରେ କୁହାଯାଉଛି ।
ବରିଷ୍ଠ ବିଜେଡି ନେତା ଲେନିନ୍ ମହାନ୍ତି କହିଛନ୍ତି, ପଞ୍ଚସଖାର ମାଟି ତଥା ସାହିତ୍ୟର ମାଟି ‘ସତ୍ୟବାଦୀ’ରେ ୫-ଟି ସଚିବଙ୍କ ଉପରକୁ କାଳିମାଡ଼ କରାଯିବା ଘଟଣା ନେଇ ମୁଁ ମର୍ମାହତ। ସୁସ୍ଥ ମସ୍ତିସ୍କ ଥିବା ଲୋକ ଏଭଳି ଘୃଣ୍ୟ କାମ କରିପାରିବ ନାହିଁ। ସାଧାରଣ ଲୋକଟିଏ ଯାହା ଚାହୁଁଛି, ଭିକେ ପାଣ୍ଡିଆନ୍ ତାହା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରୀ ଶ୍ରୀମନ୍ଦିରରେ ଯେଉଁ ବିକାଶ କାମ ହୋଇଛି, ତାହାର ନେତୃତ୍ବ ନେଇଛନ୍ତି ଭିକେ ପାଣ୍ଡିଆନ। ସେ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି, ଲୋକଙ୍କ ସହିତ ମିଶୁଛନ୍ତି। ଲୋକଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ସେ ଓଡ଼ିଶାର ଉନ୍ନତି ପାଇଁ କାମ କରୁଛନ୍ତି। ଓଡ଼ିଶାର ପ୍ରଗତିକୁ ଯେଉଁମାନେ ସହି ପାରୁ ନାହାନ୍ତି, ସେହି ଲୋକମାନେ ହିଁ ଏଭଳି କାମ କରୁଛନ୍ତି। ଆଜି ସତ୍ୟବାଦୀରେ ଜଣେ ବ୍ୟକ୍ତି ଲୁଚିଲୁଚି ଆସି ଏଭଳି ଘୃଣ୍ୟ କାମ କରିଛି।
ସୂଚନାଯୋଗ୍ୟ, ଭିକେ ପାଣ୍ଡିଆନ୍ ଦୁଇଦିନିଆ ପୁରୀ ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ସତ୍ୟବାଦୀରେ ପହଞ୍ଚିଥିଲେ। ସ୍ଥାନୀୟ ୟୁଜିଏସ୍ କଲେଜରେ ଆୟୋଜିତ କାର୍ୟ୍ୟକ୍ରମସ୍ଥଳକୁ ଯାଉଥିବା ବେଳେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ବଡ଼ାଲ ନିବାସୀ ଭାସ୍କର ସାହୁ କାଳିମାଡ଼ କରିଥିଲେ।
Powered by Froala Editor