୫ ମତ୍ସ୍ୟଜୀବୀଙ୍କୁ ଅପହରଣ ଅଭିଯୋଗ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଆର୍ୟ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନଆର୍ୟ୍ୟପଲ୍ଲୀ ଗ୍ରାମର ୧୯ ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ମତ୍ସ୍ୟଜୀବୀଙ୍କୁ ଟ୍ରଲର୍ରେ ମାଛ ମାରୁଥିବା ଆନ୍ଧ୍ରର ମତ୍ସ୍ୟଜୀବୀମାନେ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଓଡ଼ିଶା ଉପକୂଳ ନିଷିଦ୍ଧାଞ୍ଚଳ ଭିତରକୁ ପଶି ଆନ୍ଧ୍ର ମତ୍ସ୍ୟଜୀବୀ ମାଛ ମାରିବାକୁ ବିରୋଧ କରିବାରୁ ସମୁଦ୍ର ଭିତରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଞ୍ଜାମର ୫ ଜଣ ମତ୍ସ୍ୟଜୀବୀଙ୍କୁ ଆନ୍ଧ୍ର ମତ୍ସ୍ୟଜୀବୀ ଅପହରଣ କରି ନେଇଥିଲେ।
ସାନଆର୍ୟ୍ୟପଲ୍ଲୀ ଗ୍ରାମର ଏନ୍. କାମେୟା ଏବଂ ୱାଇ. ମୋହନଙ୍କ ଦୁଇଟି ଡଙ୍ଗାରେ ଏହି ୧୯ ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ଯାଇଥିଲେ। ସମୁଦ୍ର ଭିତରେ ଆନ୍ଧ୍ର ମତ୍ସ୍ୟଜୀବୀ ନୋ-ଫିସିଂ ଜୋନ୍ରେ ବେଆଇନ ଭାବେ ମାଛ ଧରୁଥିବାରୁ ଆର୍ୟ୍ୟପଲ୍ଲୀ ଅଂଚଳର ମତ୍ସ୍ୟଜୀବୀ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ମତ୍ସ୍ୟଜୀବୀ ଗୋଷ୍ଠୀ ମଧ୍ୟରେ ବଚସା ପରେ ଆନ୍ଧ୍ରର ମତ୍ସ୍ୟଜୀବୀ ସାନଆର୍ୟ୍ୟପଲ୍ଲୀର ୫ଜଣ ମତ୍ସ୍ୟଜୀବୀଙ୍କୁ ଜୋର୍ ଜବରଦସ୍ତ ସେମାନଙ୍କ ଟ୍ରଲର୍ରେ ଅପହରଣ କରି ନେଇଥିବା ପରିବାରବର୍ଗ ଆର୍ୟ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି।
Powered by Froala Editor