ଦେଶର ସୁରକ୍ଷା ପାଇଁ ଏକତାକୁ ଦୃଢ କରନ୍ତୁ: ନିର୍ମଳା ସୀତାରମଣ

ପୁରୀ: ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିରରୁ ବାହାରିବା ପରେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଯାଇଥିଲେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ। ସେଠାରେ ସେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ‘ମୋ ମାଟି ମୋ ଦେଶ’ ବିଷୟବସ୍ତୁ ଉପରେ ନିର୍ମିତ ବାଲୁକା କଳାକୃତି ପରିଦର୍ଶନ କରିଥିଲେ। କିଛି ସମୟ ରହିବା ପରେ ଫଟୋ ଉଠାଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ।
ଏହାପରେ ସେ ପେଣ୍ଠକଟା ନିକଟ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର୍ୟ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଚ ପ୍ରାଣମନ୍ତ୍ର ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର, ବହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।
ଏହି ଅବସରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷାର୍ଥୀମାନଙ୍କୁ କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଓ ଆତ୍ମନିର୍ଭରଶୀଳ କରାନ୍ତୁ। ଔପନିବେଶବାଦ ମାନସିକତାରୁ ମୁକୁଳି ଆସନ୍ତୁ। ଆମର ଐତିହ୍ୟ, ପରମ୍ପରାକୁ ନେଇ ଉତ୍ସବ ମନାନ୍ତୁ। ଦେଶର ସୁରକ୍ଷା ପାଇଁ ଏକତାକୁ ଦୃଢ କରନ୍ତୁ। ଜଣେ ସଚ୍ଚା ନାଗରିକର କର୍ତ୍ତବ୍ୟ ପାଳନ କରନ୍ତୁ।
Powered by Froala Editor