‘କେରଳମ୍’ ହେବ କେରଳ !

କେରଳ ରାଜ୍ୟର ନାଁ ବଦଳିଯିବ । ଏହା କେରଳରୁ ‘କେରଳମ୍’ ହେବ । ଏ ନେଇ ଏକ ପ୍ରସ୍ତାବ କେରଳ ବିଧାନସଭାରେ ଗୃହୀତ ହୋଇଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବକୁ ଗୃହରେ ଉପସ୍ଥାପନ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେରଳକୁ ମାଲାୟଲମ ଭାଷାରେ କେରଲମ୍ କୁହାଯାଏ । ଭାଷା ଭିତ୍ତିକ ଏହି ରାଜ୍ୟ ୧୯୫୬ ନଭେମ୍ବର ୧ ତାରିଖରେ ସୃଷ୍ଟି ହୋଇଥିଲା । ଏହି ଦିନକୁ କେରଳ ଦିବସ ଭାବେ ପାଳନ କରାଯାଇଥାଏ । ସମ୍ବିଧାନରେ ଏହାର ନାମ କେରଳ ଲେଖା ଯାଇଛି । ତେଣୁ ଏହାର ନାମ ପରିବର୍ତ୍ତନ କରାଯାଇ କେରଳମ୍ ରହିବ ।
ସିଏମ ବିଜୟନ ବିଧାନସଭାରେ ଧାରା ୧୧୮ ଅନୁସାରେ ଏହି ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ମଧ୍ୟ ସହମତି ପ୍ରକାଶ କରିଛି । ଶେଷରେ ବିଧାନସଭା ଅଧ୍ୟକ୍ଷ ଏଏନ ସମଶୀର ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ଗୃହୀତ ହୋଇଥିବା ଘୋଷଣା କରିଥିଲେ । ଏହାପରେ କେନ୍ଦ୍ର ସରକାରଙ୍କୁ ରାଜ୍ୟର ନାଁ ବଦଳାଇବା ପାଇଁ ନିବେଦନ କରାଯାଇଛି ।
ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଉଲ୍ଲେଖ କରାଯାଇଥିବା ସମସ୍ତ ଭାଷାରେ ସମ୍ବିଧାନର ଧାରା ୩ ଅନୁଯାୟୀ ଏହାକୁ ‘କେରଳମ୍’ରେ ସଂଶୋଧନ କରିବା ଏବଂ ଏହାର ନାମ ‘କେରଳମ୍’ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଧାନସଭା ସର୍ବସମ୍ମତିକ୍ରମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି।
Powered by Froala Editor