ଏବେ ବନ୍ୟାସ୍ଥିତି ନିୟନ୍ତ୍ରଣ, କୌଣସି ବଡ଼ ଧରଣର କ୍ଷୟକ୍ଷତି ନାହିଁ:ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ଏବେ ବନ୍ୟାସ୍ଥିତି ନିୟନ୍ତ୍ରଣ ରହିଛି।କୌଣସି ବଡ଼ ଧରଣର କ୍ଷୟକ୍ଷତି ନାହିଁ। ବ୍ରାହ୍ମଣୀ ନଦୀରେ ୨ଟି ଘାଇ ହୋଇଛି । ଯାହାର ପ୍ରଭାବରେ ଯାଜପୁରରେ ଛୋଟ ଧରଣର ବନ୍ୟା ହୋଇଛି। ଏବେ ମୁଣ୍ଡୁଳିରେ ୬ଲକ୍ଷ ୯୭ହଜାର କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି। ଖଇରିମାଳରେ ୩ଲକ୍ଷ ୪୦ହଜାର ବରମୂଳ ୪ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।
ସର୍ବୋଚ୍ଚ ଯନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଜି ଅପରାହ୍ନରେ ହୀରାକୁଦର ଆଉ କିଛି ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି | ସେ କହିଛନ୍ତି ଯେ ଯେଉଁ ଗେଟ ଖୋଲିବ ତାହାର ପାଣି ଖଇରମାଳରେ ପହଞ୍ଚିବାକୁ ୧୨ ଘଣ୍ଟା ସମୟ ଲାଗିବ | ସେତେବେଳକୁ ତଳମୁଣ୍ଡରୁ ଜଳସ୍ତର କମିଯାଇଥିବ | ବାସ୍ତବରେ ପାଣିପାଗ ବିଭାଗ ମୁତାବକ ଗତକାଲି ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି | ମହାନଦୀ ଉପରମୁଣ୍ଡରେ ୨୬ ରୁ ୩୭ ସେମି ବର୍ଷା ହୋଇଥିବାରୁ ମହାନଦୀରେ ଏବେ ପାଣି ବଢିଛି |
ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି | ଆଉ ଏହାରି ପ୍ରଭାବରେ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି | ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୫.୫୨ ଫୁଟ ଥିବାବେଳେ ବର୍ତ୍ତମାନ ୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି | ଜଳଭଣ୍ଡାର ଭିତରକୁ ୪ ଲକ୍ଷ ୭୭ ହଜାର ୨୯୦ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୬୮ ହଜାର ୯୧୫ କ୍ୟୁସେକ ପାଣି ନିଷ୍କାସିତ ହେଉଛି | ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ମହାନଦୀକୁ ପାଣି ମାଡିଆସୁଛି |
Powered by Froala Editor