ସୀମା ଓ ସଚିନ କରିବେ ‘ମର୍ଡର ଷ୍ଟୋରି’
ସୀମା ହାଇଦର ଓ ସଚିନଙ୍କ ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି। ବିଭିନ୍ନ ଯାଞ୍ଚ ଏଜେନ୍ସି ସୀମା ଓ ସଚିନ ସମେତ ତାଙ୍କ ପରିବାରକୁ ପଚରାଉଚରା ଜାରି ରଖିଛନ୍ତି। ଘର ବାହାରେ ପୁଲିସ ମୁତୟନ ରହିଛନ୍ତି। ସୀମା ହୁଅନ୍ତୁ ଅବା ସଚିନ କି ତାଙ୍କ ପରିବାର, କେହି ବାହାରକୁ ବାହାରି ପାରୁ ନାହାନ୍ତି। ଏଥିପାଇଁ ମାସେ ହେବ କାମ ବନ୍ଦ ରହିଛି। ଚଳିବା ପାଇଁ ସଚିନଙ୍କ ପରିବାରରେ ଟଙ୍କାର ଅଭାବ ଦେଖା ଦେଇଛି। ସେମାନଙ୍କୁ ଏଥିରୁ ମୁକୁଳାଇବା ପାଇଁ ଅମିତ ଜୈନ ନାମକ ଜଣେ ଫିଲ୍ମ ପ୍ରଯୋଜକ ସିନେମାରେ କାମ କରିବାକୁ ଅଫର ଦେଇଛନ୍ତି।
ବର୍ତ୍ତମାନ ଅମିତ ଜୈନ ମୁମ୍ବାଇରେ ସିନେମା ତିଆରି କରୁଛନ୍ତି। ଏହି ସିନେମାରେ ସେ ସୀମା ଓ ସଚିନଙ୍କୁ କାମ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ସେମାନେ ନିଜ ପାରିଶ୍ରମିକରେ ଆର୍ଥିକ ସମସ୍ୟାରୁ ମୁକୁଳି ପାରିବେ ବୋଲି ଶ୍ରୀ ଜୈନ ଆଶା ରଖିଛନ୍ତି।
ଅମିତ ଜୈନ ଉଦୟପୁରର ଟେଲର କହ୍ନୈୟା ଲାଲ ସାହୁଙ୍କ ହତ୍ୟାକାଣ୍ତ ଉପରେ ସିନେମା କରୁଛନ୍ତି। ଅମିତ ତାଙ୍କର ସିନେମା ପ୍ରଡକସନ ହାଉସ ‘ଜାନି ଫାୟର ଫୋକ୍ସ’ ବ୍ୟାନରରେ ନିର୍ମିତ ହେଉଥିବା ସିନେମାରେ ଅଭିନୟ ପାଇଁ ସଚିନ ଓ ସୀମାଙ୍କୁ ଅଫର ଦେଇଛନ୍ତି। ଏହି ସିନେମାର ଶୀର୍ଷକ ରହିଛି ‘ଏ ଟେଲର ମର୍ଡର ଷ୍ଟୋରି’, ଯାହାକୁ ନଭେମ୍ବରରେ ରିଲିଜ କରିବା ପାଇଁ ଯୋଜନା ରଖାଯାଇଛି।
ଅମିତ ସୀମା ଓ ସଚିନଙ୍କୁ ଅଫର ଦେଇ କହିଛନ୍ତି କି, ‘ଆପଣମାନେ ଆମର ପ୍ରଡକସନ ସହିତ କାମ କରିବାକୁ ଚାହିଁଲେ କାମ କରିପାରିବେ। ଏଥିପାଇଁ ଆପଣମାନଙ୍କୁ ପାରିଶ୍ରମିକ ବି ଦିଆଯିବ।’
Powered by Froala Editor