ଭାରତ ଛାଡ଼ି ଚାଲିଯିବାକୁ ଯୋଜନା କରୁଛନ୍ତି ମୋଦୀ: ଲାଲୁ
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ପରାସ୍ତ ହେବେ ବୋଲି ଆଶଙ୍କା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶରେ ବସବାସ କରିବା ଲାଗି ଯୋଜନା କରୁଛନ୍ତି ବୋଲି ରବିବାର ଦିନ ପରିହାସ କରି ‘ଆର୍ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି। ବିରୋଧୀ ଦଳଙ୍କ ପ୍ରତି ମୋଦୀଙ୍କ ‘ଭାରତ ଛାଡ଼’ ଟିପ୍ପଣୀ ଉପରେ ବିବୃତି ଦେବାକୁ କୁହାଯିବାରୁ ଲାଲୁ ପ୍ରସାଦ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ‘ଇଣ୍ଡିଆ’ ନାମରେ ନୂଆ ମେଣ୍ଟ ଗଢ଼ିଥିବା ବିରୋଧୀ ଦଳଙ୍କୁ ଅଳ୍ପ ଦିନ ତଳେ ଦୁର୍ନୀତିଗ୍ରସ୍ତ, ପରିବାରବାଦ ଓ ତୁଷ୍ଟିକରଣ ରାଜନୀତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ଲାଲୁ କହିଲେ, ମୋଦୀ ହିଁ ଭାରତ ଛାଡ଼ି ଚାଲିଯିବାକୁ ଯୋଜନା କରୁଛନ୍ତି…ସେହି କାରଣରୁ ହିଁ ସେ ଏତେ ଦେଶ ପରିଭ୍ରମଣ କରୁଛନ୍ତି। ଶାନ୍ତିରେ ପିଜା, ମୋମୋ ଓ ଚୋମିନ୍ ଖାଇବା ଭଳି ଜାଗାଟିଏ ଖୋଜୁଛନ୍ତି। ‘ଆର୍ଜେଡି’ ସୁପ୍ରିମୋଙ୍କ ଉପରୋକ୍ତ ମନ୍ତବ୍ୟ ଶୁଣି ଉପସ୍ଥିତ ଲୋକେ ହସିଉଠିଥିଲେ। ସୂଚନାଯୋଗ୍ୟ, ପରିସ୍ଥିତିକୁ ସାମାନ୍ୟ କରିବା ଲାଗି ହାସ୍ୟୋଦ୍ଦୀପକ ଟିପ୍ପଣୀ ଦେବାରେ ଲାଲୁଙ୍କର ସୁଖ୍ୟାତି ଅଛି।
Powered by Froala Editor