ଫସଲ ବୀମା ଯୋଜନା: ୫ ଅଗଷ୍ଟ ପର୍ୟ୍ୟନ୍ତ ପଞ୍ଜିକରଣ କରିପାରିବେ ଚାଷୀ
ନୂଆଦିଲ୍ଲୀ: ଫସଲ ବୀମା ଯୋଜନା ଅଧୀନରେ କୃଷକମାନେ ସେମାନଙ୍କର ନାମ ବୀମା ପୋର୍ଟାଲରେ ପଂଜୀକରଣ କରିବାର ସମୟସୀମା ବୃଦ୍ଧି । ଆସନ୍ତା ଅଗଷ୍ଟ ୫ ତାରିଖ ପର୍ୟ୍ୟନ୍ତ ପଞ୍ଜିକରଣ କରିପାରିବେ ଚାଷୀ । ଏନେଇ କୃଷି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲା କୃଷି ମନ୍ତ୍ରାଳୟ । ପୂର୍ବରୁ ଜୁଲାଇ ୩୧ ପର୍ୟ୍ୟନ୍ତ ସମୟ ଧାର୍ୟ୍ୟ କରାଯାଇଥିଲା । ଏ ବର୍ଷ ମୌସୁମୀ ବିଳମ୍ବିତ ହୋଇଥିବାରୁ ଓ ବୀମା ପୋର୍ଟାଲରେ ବିଭିନ୍ନ କାରଣରୁ ପଞ୍ଜିକରଣ ବିଳମ୍ବିତ ହେଉଥିବାରୁ ସମୟସୀମା ଅଗଷ୍ଟ ୫ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା ।
ଯାହାକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ୨ ହେକ୍ଟର ଜମି ଥିବା ଚାଷୀଙ୍କ ବୀମା ରାଶି ରାଜ୍ୟ ସରକାର ବହନ କରୁଛନ୍ତି । ଧାନ ପାଇଁ ଗ୍ରାମ ପଂଚାୟତ ଓ ବିଜ୍ଞାପିତ ଅଂଚଳ ବା ମ୍ୟୁନିସିପାଲଟିରେ ଏବଂ ଅଣ ଧାନ ପାଇଁ ବ୍ଳକ ସ୍ତରରେ କୃଷକମାନଙ୍କର ନାମ ପଂଜୀକୃତ ହେଉଛି । ପୂର୍ବରୁ ଋଣ ନେଇଥିବା କୃଷକମାନେ ସଂପୃକ୍ତ ବ୍ୟାଙ୍କ ଶାଖା ବା ପ୍ରାଥମିକ କୃଷି ସମବାୟ ସମିତିର ପଂଜୀକରଣ କରିପାରିବେ । ଋଣ ନେଇଥିବା ଚାଷୀମାନେ ବ୍ୟାଙ୍କ ଶାଖା, ଜନସେବା କେନ୍ଦ୍ର, ବୀମା କଂପାନୀ ମଧ୍ୟସ୍ଥି ସଂସ୍ଥା, ବୀମା କଂପାନୀଗୁଡିକରେ କାର୍ୟ୍ୟକ୍ଷମ କାର୍ୟ୍ୟାଳୟ କିମ୍ବା ବୀମା ଆପ୍ଲିକେସନ ବ୍ୟବହାର କରି ନାମ ପଂଜୀକରଣ କରିପାରିବେ ।
Powered by Froala Editor