ଏୟାର୍ ହୋସ୍ଟେସ୍ ଗୀତିକା ଶର୍ମା ମୃତ୍ୟୁ ମାମଲା, ହରିୟାଣାର ପୂର୍ବତନ ମନ୍ତ୍ରୀ ଗୋପାଳ କାଣ୍ଡା ଦୋଷମୁକ୍ତ
ନୂଆଦିଲ୍ଲୀ: ଏୟାର୍ ହୋସ୍ଟେସ୍ ଗୀତିକା ଶର୍ମା ଆତ୍ମହତ୍ୟା ମାମଲାରେ ଆଜି ହରିୟାଣାର ପୂର୍ବତନ ମନ୍ତ୍ରୀ ଗୋପାଳ କାଣ୍ଡା ଓ ସହଯୋଗୀ ଅରୁଣା ଚଢ଼ାଙ୍କୁ ଦିଲ୍ଲୀର ଏକ ଅଦାଲତ ଦୋଷମୁକ୍ତ କରିଛନ୍ତି।
ଏଥି ସହିତ ଅଦାଲତ ହରିୟାଣାର ପୂର୍ବତନ ବିବାଦୀୟ ବିଧାୟକ ତଥା ମନ୍ତ୍ରୀ ଗୋପାଳ କାଣ୍ଡାଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଦାଖଲ କରିବା ସହିତ ଦିଲ୍ଲୀରେ ଉପସ୍ଥିତ ରହିବାକୁ କହିଛନ୍ତି। କାରଣ ତାଙ୍କୁ ଦୋଷମୁକ୍ତ କରାଯାଇଥିବା ରାୟ ଉପରେ ପୁଲିସ ଅପିଲ୍ କରିବାର ସମ୍ଭାବନା ଥିବାରୁ ଅଦାଲତ ଏଭଳି ସର୍ତ୍ତ ରଖିଛନ୍ତି।
ପ୍ରମାଣ ଅଭାବରୁ ଦୁହିଁଙ୍କୁ ଦୋଷମୁକ୍ତ କରାଯାଇଥିବା କଥା ସ୍ପେସାଲ୍ ଜଜ୍ ବିକାଶ ଧୁଲ୍ କହିଛନ୍ତି।
ସୂଚନାଯୋଗ୍ୟ, ଗୀତିକା ଶର୍ମା କାଣ୍ଡାଙ୍କ ‘ଏମ୍ଏଲ୍ଡିଆର୍’ ଏୟାର୍ଲାଇନ୍ସ୍ରେ ଏୟାର୍ ହୋସ୍ଟେସ୍ ଭାବେ କାମ କରୁଥିଲେ। ପରେ ତାଙ୍କୁ ଉକ୍ତ ଏୟାର୍ଲାଇନ୍ସ୍ର ଅନ୍ୟତମ ନିର୍ଦେଶକ ଭାବେ ପଦୋନ୍ନତି ମିଳିଥିଲା। ୨୦୧୨ ଅଗଷ୍ଟ ୫ ତାରିଖରେ ଗୀତିକାଙ୍କୁ ତାଙ୍କ ଦିଲ୍ଲୀ ବାସଭବନରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା।
Powered by Froala Editor