ସ୍ୱପ୍ନ ନିୟନ୍ତ୍ରଣ କରିବାକୁ ଭୟାନକ ପଦକ୍ଷେପ : ମୁଣ୍ଡରେ ଡ୍ରିଲିଂ କରିଦେଲେ ଏହି ବ୍ୟକ୍ତି

ଜଣେ ବ୍ୟକ୍ତି ନିଜ ସ୍ୱପ୍ନକୁ ନିୟନ୍ତ୍ରଣ କରିବା ପାଇଁ ଭୟାନକ ପଦକ୍ଷେପ ନେଇଛନ୍ତି । ଏକ ଡ୍ରିଲ ମେସିନ ସାହାଯ୍ୟରେ ସେ ନିଜ ମସ୍ତିଷ୍କ କଣା କରି ଦେଇଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ଋଷର ସାଇବେରିଆରେ ।
ମାଇକଲ ରେଡୁଗା ନାମକ ଜଣେ ବ୍ୟକ୍ତି ଘରେ ବ୍ୟବହାର ହେଉଥିବା ଏକ ଡ୍ରିଲ ମେସିନରେ ନିଜ ମସ୍ତିଷ୍କ କଣା କରି ଦେଇଛନ୍ତି । ଏହାପରେ ସେ ଏହି ବାଟରେ ମୁଣ୍ଡରେ ଛୋଟ ମାଇକ୍ରୋ ଚିପ୍ ଲଗାଇବାକୁ ଚେଷ୍ଟା କରିଥିଲେ । ତେବେ ଏମିତି କରିବା ପଛରେ ରେଡୁଗାଙ୍କର ମୁଖ୍ୟ କାରଣ ହେଉଛି ସ୍ୱପ୍ନ ଉପରେ ନିୟନ୍ତ୍ରଣ କରିବା ।
ଏ ଘଟଣା ନେଇ ରେଡୁଗା ସମସ୍ତ କାହାଣୀ ବଖାଣିଛନ୍ତି । ସେ କହିଛନ୍ତି ଯେ, ମାର୍କେଟରୁ ଡ୍ରିଲ ମେସିନ୍ କିଣିବା ପରେ ନିଜ ମସ୍ତିଷ୍କରେ କଣା କରି ଏଥିରେ ଇଲେକ୍ଟ୍ରୋଡ ଇମ୍ପ୍ଲାଣ୍ଟ କରିଥିଲେ । ଏହାପରେ ସେ ନିଜ ଟ୍ୱିଟର ପେଜରେ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ । ପୋଷ୍ଟରେ ସେ ନିଜ ମସ୍ତିଷ୍କର ଏଗ୍ସରେ କପି ମଧ୍ୟ ସେୟାର କରିଛନ୍ତି । ଏଥିରେ ତାଙ୍କ ବ୍ରେନରେ ଥିବା ଇଲେକ୍ଟ୍ରୋଡ ଦେଖିବାକୁ ମିଳିଛି । ତେବେ ଅପରେସନ ସମୟରେ ରକ୍ତାଭାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥାନ୍ତା ବୋଲି କହିଥିଲେ ରେଡୁଗା ।
ତେବେ ଏପରି କାଣ୍ଡ କରିବା ପୂର୍ବରୁ ସେ ୟୁଟ୍ୟୁବ ଦେଖି ନ୍ୟୁରୋସର୍ଜନଙ୍କ କାମ କରିବାର ଶୈଳୀକୁ ଦେଖିଥିଲେ । ନିଜ ସ୍ୱପ୍ନକୁ ନିଜ ଅଧୀନରେ ରଖିବା ପାଇଁ ସେ ଏପରି କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଡ୍ରିଲିଙ୍ଗ ସମୟରେ ସେ ଗୁରୁତର ଆହତ ହୋଇଥିଲେ ।
Powered by Froala Editor