ବିଶ୍ବ ଐତିହାସିକ ସ୍ଥଳ ତାଜମହଲକୁ ଛୁଇଁଲା ବନ୍ୟା
ନୂଆଦିଲ୍ଲୀ: ଯମୁନା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀ ସହର ଜଳମଗ୍ନ ହୋଇଥିବାବେଳେ ଏବେ ଉତ୍ତରପ୍ରଦେଶର ଅନେକ ଅଞ୍ଚଳକୁ ପାଣି ମାଡିଛି। ବନ୍ୟା ପାଣି ଆଗ୍ରାର ବିଶ୍ବ ଐତିହାସିକ ସ୍ଥଳ ତାଜମହଲକୁ ଛୁଇଁଛି। ତାଜମହଲର ବାହାର ପାର୍ଶ୍ବ କାନ୍ଥକୁ ପାଣି ଛୁଇଁଛି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ ଯମୁନା ନଦୀର ଜଳସ୍ତର ୪୯୯.୧ ଫୁଟ୍ରେ ରହିଛି। ୪୯୯ ଫୁଟରେ ଜଳସ୍ତର ରହିଲେ ମଧ୍ୟମ ଧରଣର ବନ୍ୟା ଆସିଥାଏ। ଜଳସ୍ତର ୫୦୮ ଫୁଟରେ ରହିଲେ ଉଚ୍ଚ ବନ୍ୟା ଆସିଥାଏ। ତେବେ ଗତ ୪୦ବର୍ଷରେ କେବେହେଲେ ଯମୁନା ନଦୀରେ ଏପରି ବନ୍ୟା ଆସି ନଥିଲା। ମଥୁରାସ୍ଥିତ ଗୋକୁଳ ବ୍ୟାରେଜରୁ ୧,୨୪,୩୦୨ କ୍ୟୁସେକ ପାରି ଛଡାଯାଇଥିବାରୁ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗୋକୁଳ ବ୍ୟାରେଜର ସମସ୍ତ ୭ଟି ଗେଟ୍କୁ ଖୋଲିଦିଆଯାଇଛି।
ଅନ୍ୟପଟେ ଦିଲ୍ଲୀର ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଛି। ସହର ମଧ୍ୟକୁ ଗାଡି ପ୍ରବେଶ କଟକଣାକୁ ଉଠାଇ ଦିଆଯାଇଛି। ଦିଲ୍ଲୀରେ ବନ୍ୟା ସ୍ଥିତି ଲାଗି ରହିଥିବାବେଳେ ମଙ୍ଗଳବାର ସହରର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆଗାମୀ ଦୁଇ ତିନିଦିନ ପର୍ୟ୍ୟନ୍ତ ଉତ୍ତର ଭାରତରେ ବର୍ଷା ହେବାର ସମ୍ଭାବନା ଥିବାରୁ ଯମୁନା ନଦୀର ଜଳସ୍ତର ପୁଣି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଦିଲ୍ଲୀ ମନ୍ତ୍ରୀ ଅତିଶୀ ରିଲିଫ ଶିବିରରେ ରହିଥିବା ଲୋକଙ୍କୁ ଘରକୁ ନ ଫେରିବା ଲାଗି ପରାମର୍ଶ ଦେଇଛନ୍ତି। ତେଲଙ୍ଗାନାର କେତେକ ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଯାଇଛି। ଲଗାଣ ବର୍ଷା ଯୋଗୁଁ ଖାମାମ୍, ୱାରାଙ୍ଗାଲା ଓ ଅନ୍ୟ କେତେକ ଜିଲାରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି।
Powered by Froala Editor