ବାହାନଗା ଟ୍ରେନ୍ ଦୁର୍ଘଟଣା : ପୁଣି ୪ ଦିନ ରିମାଣ୍ଡରେ ୩ ଅଭିଯୁକ୍ତ
ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ମାମଲାରେ ୩ ଅଭିଯୁକ୍ତଙ୍କୁ ପୁଣି ୪ ଦିନ ରିମାଣ୍ଡରେ ନେଇଛି ସିବିଆଇ। ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ। ଏହି ୪ ଦିନ ରିମାଣ୍ଡ ଅବଧିରେ ସିବିଆଇ ପକ୍ଷରୁ ସେମାନଙ୍କୁ ଅଧିକ ପଚରାଉଚୁରା କରାଯିବ।
ବାହାନଗା ରେଳ ଦୁର୍ଘଟଣା ଅଭିଯୁକ୍ତମାନଙ୍କ ୫ ଦିନିଆ ରିମାଣ୍ଡ ଶେଷ ହୋଇଥିଲା। ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ କୋର୍ଟରେ ହାଜର କରିବା ପୂର୍ବରୁ ପ୍ରଥମେ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ମେଡିକାଲକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ ଚନ୍ଦକା ଥାନାକୁ ଅଣାଯାଇଥିଲା। ଏହାପରେ ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ଅପରପକ୍ଷରେ ଏହି ୩ ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ଜାମିନ ଆବେଦନ କରିଛନ୍ତି। ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ। ସିନିୟର୍ ସେକ୍ସନ ଇଂଜିନିୟର ଅରୁଣ ମହାନ୍ତ ଓ ସେକ୍ସନ ଇଂଜିନିୟର ଅମୀର ଖାନ୍ଙ୍କ ପାଇଁ ସେମାନଙ୍କ ଓକିଲ ଜାମିନ ଆବେଦନ କରିଛନ୍ତି।
Powered by Froala Editor