ଆଉ ୧୬ ଦିନ ବଢିଲା ଲକଡାଉନ , ଶୁକ୍ରବାର ସଂଧ୍ୟାରୁ ସୋମବାର ସକାଳ ପର୍ଯ୍ୟନ୍ତ ସଟଡାଉନ
ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ରେ କଟକଣା କୋହଳ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ବି ଏଯାଏଁ ନିୟନ୍ତ୍ରଣାଧିନ ହୋଇନାହିଁ । ଏହାକୁ ଆଖିଆଗରେ ରଖି ରାଜ୍ୟ ସରକାର ତୃତୀୟ ଥର ପାଇଁ ଲକଡାଉନ ଜାରି କରିବାକୁ ଘୋଷଣା କରିଛନ୍ତି । ଆସନ୍ତା ଜୁନ ୧୭ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଜାରି କରାଯାଇଥିବାବେଳେ ଶୁକ୍ରବାର ସଂଧ୍ୟା ୬ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ସପ୍ତାହାନ୍ତ ସଟଡାଉନ କରାଯିବ । ତେବେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଗଜପତି, ନୂଆପଡ଼ା ଓ ସୁନ୍ଦରଗଡରେ ଲକଡାଉନ କଟକଣା କୋହଳ କରାଯାଇଛି । ଅପରପକ୍ଷରେ ପୂର୍ବଭଳି କଟକଣା ବଳବତର ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି ।
ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତିଯେ, ମେ’ ୫ରୁ ଲକଡାଉନ ଜାରିହୋଇଛି । ଗତ ୨୫ ଦିନ ଭିତରେ କରୋନା ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଛି । ପୂର୍ବରୁପ ପଜିଟିଭ ହାର ୨୫% ଥିବାବେଳେ ଏବେ ତାହା ୧୫%ରେ ପହଁଚିଛି । ତେବେ ପଶ୍ଚିମାଂଚଳର ଅନେକ ଅଂଚଳରେ କୋଭିଡ଼ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇଛି । ତଥାପିବି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ଅନୁଗୁଳ ଭଳି ଜିଲ୍ଲାରେ କୋଭିଡ଼ ସଂକ୍ରମଣ ହାର ୨୦/୨୫%ରୁ ଅଧିକ ରହିଛି । ଠିକ ସମୟରେ ଲକଡାଉନ ଘୋଷଣା ହୋଇଥିବାରୁ କରୋନା ସଂକ୍ରମଣ ରୋକାଯାଇପାରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ସେହିପରି ସେ କହିଲେଯେ, ଅକ୍ସିଜେନ ଓ ଶଯ୍ୟା ପାଇଁ ଆମ ରାଜ୍ୟରେ ସମସ୍ୟା ସୃଷ୍ଟି ହୋଇନାହିଁ । ବର୍ତମାନ ଦୈନିକ ୭୦ ହଜାର କୋଭିଡ଼ ପରୀକ୍ଷା ହେଉଛି । ତେବେ କରୋନା ସଂକ୍ରମଣ ବୃଦ୍ଧି ପାଇନାହିଁ । ସମ୍ପ୍ରତି ବାତ୍ୟା ପାଇଁ କେତେକ ଜିଲ୍ଲାରେ କ୍ଷୟକ୍ଷତି ହୋଇଛି । ଏଥିପାଇଁ ୭ ଲକ୍ଷ ଲୋକଙ୍କ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରେ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆନଯାଇପାରେ । ସରକାରୀ କର୍ମଚାରୀମାନେ ମଧ୍ୟ ପୁନରୁଦ୍ଧାର କାମରେ ଲାଗିଛନ୍ତି । କୋଭିଡ଼ ସଂକ୍ରମଣ ବିପଦଜନକ ସ୍ଥିତିରେ ଥିବାବେଳେ ପଜିଟିଭ ହାର ୧୦%ରୁ କମ ହୋଇପାରିନାହିଁ । ତେଣୁ ଜୁନ ୧ ସକାଳ ୫ଟାରୁ ୧୭ ଜୁନ ସକାଳ ୫ଟା ଅର୍ଥାତ ଆଉ ୧୬ ଦିନ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଛି ।
ଏହାଛଡ଼ା ସପ୍ତାହାନ୍ତ ସଟଡାଉନ ବି କରାଯିବ । ପୂର୍ବ କଟକଣା ବଳବତର ରହିବ । ତେବେ ତିନୋଟି ଜିଲ୍ଲା ଯଥା; ନୂଆପଡ଼ା, ଗଜପତି ଓ ସୁନ୍ଦରଗଡରେ କୋଭିଡ଼ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇଥିବାରୁ ଲକଡାଉନ ସାମାନ୍ୟ କୋହଳ କରାଯାଇଛି । ଅନ୍ୟ ଜିଲ୍ଲାରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଲୋକମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଯାଇପାରିବାର ପ୍ରାବଧାନ ଥିବାବେଳେ ଏହି ତିନି ଜିଲ୍ଳାରେ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ କୋହଳ କରାଯାଇଛି । ଖାଲି ସେତିକି ନୁହେଁ ଉକ୍ତ ୩ ଜିଲ୍ଲାରେ ସମସ୍ତ ଦୋକାନ ଖୋଲାଯାଇପାରିବ । ସଂକ୍ରମଣ ହାର ବୃଦ୍ଧି ପାଇଲେ ପୂର୍ବଭଳି କଡ଼ା କଟକଣା ଜାରିରହିବ ବୋଲି ମୁଖ୍ୟସଚିବ ସ୍ପଷ୍ଟ କରିଛନ୍ତି । ଅନ୍ୟ ଜିଲ୍ଲାମାନଙ୍କରେ ଯଦି କୋଭିଡ଼ ସଂକ୍ରମଣ ହ୍ରାସ ପାଇବ ତେବେ ସେହି ସବୁ ଜିଲ୍ଲାରେ କଟକଣା କୋହଳ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
Powered by Froala Editor