ମେନ୍ୟୁରୁ ଟମାଟୋ ହଟାଇଲା ମ୍ୟାକଡୋନାଲ୍ଡସ
ଭାଉ ଦେଖାଉଛି ଟମାଟୋ । ମଧ୍ୟବିତ୍ତ ଆଉ ଗରିବ ଟମାଟୋ ଛୁଇଁବାକୁ ଡରୁଛନ୍ତି । ହେଲେ ଟମାଟୋ ଦର ଯାହା ହେଲାଣି ବଡ ବଡ ରେସ୍ତୋରାଁ ଆଉ ଫୁଡ କମ୍ପାନୀ ବି ଟମାଟୋ ଦେଉନାହାନ୍ତି । ଏପରିକି ଅଗ୍ରଣୀ ଫାଷ୍ଟଫୁଡ୍ ରେସ୍ତୋରାଁ ମ୍ୟାକଡୋନାଲ୍ଡସ ମଧ୍ୟ ଟମାଟୋ କିଣିବା ପାଇଁ ସଂଘର୍ଷ କରୁଥିବା ଜଣାଯାଇଛି। କମ୍ପାନୀ ଇତିମଧ୍ୟରେ ଏହାର ମେନୁରୁ ଟମାଟୋ ହଠାଇଦେଇଛି। ହେଲେ ଟମାଟୋ ସସ୍ରେ କାମ ଚଳୁଛି।
କମ୍ପାନୀ ଏବେ ଟମାଟୋ ଅଭାବଜନିତ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉନାହିଁ, ତଥାପି ଏହାର ୧୦-୧୫ ପ୍ରତିଶତ ରେସ୍ତୋରାଁରେ ଟମାଟୋ ରଖିବା ବନ୍ଦ କରିଦେଇଛି। ମ୍ୟାକଡୋନାଲ୍ଡସ କହିଛି ଯେ ମୌସୁମୀ ଋତୁରେ ଭଲ ଗୁଣବତ୍ତା ଟମାଟୋ ଉପଲବ୍ଧ ନ ହେବା କାରଣରୁ ମେନୁରୁ ଟମାଟୋ ହଟାଇ ଦିଆଯାଇଛି। କୌଣସି ଖାଦ୍ୟ ସାମଗ୍ରୀ କିଣିବାବେଳେ କମ୍ପାନୀ ଗୁଣବତ୍ତାକୁ ଗୁରୁତ୍ୱ ଦେଇଥାଏ। ବର୍ତ୍ତମାନ ବଜାରରେ ଉପଲବ୍ଧ ଟମାଟୋ କମ୍ପାନୀର କ୍ରୟ ମାନଦଣ୍ଡ ପୂରଣ କରୁନାହିଁ, ତେଣୁ ଟମାଟୋ କିଣିବା ବନ୍ଦ କରାଯାଇଛି। କମ୍ପାନୀ ଗ୍ରାହକଙ୍କୁ ଆଶ୍ୱାସନା ଦେଇ କହିଛି ଯେ ଏହା ଏକ ସାମୟିକ ସମସ୍ୟା ଏବଂ ଟମାଟୋର ଅଭାବ ଶୀଘ୍ର ଦୂର ହେବ।
ବର୍ତ୍ତମାନ ଦେଶରେ ଦୈନିକ ଟମାଟୋ ଦର ବଢ଼ୁଛି। ଉତ୍ତରାଖଣ୍ଡରେ ଟମାଟୋ କିଲୋ ପିଛା ୨୫୦ ଟଙ୍କା ଛୁଇଁଛି। ତଥାପି ଅଧିକାଂଶ ରାଜ୍ୟରେ ଏବେ ବି ଟମାଟୋ କିଲୋ ପିଛା ୧୬୦ ଟଙ୍କାରେ ବିକ୍ରି ହେଉଛି। କର୍ଣ୍ଣାଟକରୁ ଯୋଗାଣ କମ୍ ହେବା ଫଳରେ ବଜାରରେ ଟମାଟୋ ଦର ବଢ଼ିଛି।
Powered by Froala Editor