ପବ୍ଜୀ ଖେଳରୁ ପ୍ରେମ : ପାକିସ୍ତାନ ସୀମା ଡେଇଁ ୪ ଛୁଆଙ୍କ ସହ ପଳାଇ ଆସିଲେ ସୀମା
ଗ୍ରେଟର ନୋଏଡାରେ ବେଆଇନ ଭାବେ ରହୁଥିବା ଜଣେ ପାକିସ୍ଥାନୀ ମହିଳାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏଥିସହ ତାଙ୍କ ୪ ପିଲା ଏବେ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ସୂଚନା ମୁତାବକ ପବଜୀ ଖେଳୁ ଖେଳୁ ଦିଲ୍ଲୀର ଗ୍ରେଟର ନୋଏଡାର ଯୁବକ ସଚିନଙ୍କର ପାକିସ୍ତାନୀ ମହିଳା ସୀମାଙ୍କ ସହ ଅନଲାଇନ୍ରେ ଭେଟ ହୋଇଥିଲା। ଏହାପରେ ଉଭୟ ପ୍ରେମରେ ପଡ଼ିଗଲେ। ପାକିସ୍ତାନର କରାଚୀ ସହରର ସୀମା ବିବାହିତା ହୋଇଥିବା ବେଳେ ୪ ଛୁଆଙ୍କ ମା’ । ଏହାସତ୍ତ୍ୱେ ସେ ସଚିନଙ୍କ ପ୍ରେମରେ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଲେ।
ଏକ ଧାନମଣ୍ଡିରେ କାମ କରୁଥିବା ସଚିନଙ୍କ ପ୍ରେମରେ ମହିଳାଜଣକ ଗତ ମେ’ ୧୩ ତାରିଖରେ ନିଜ ୪ ପିଲାଙ୍କ ସହ ଘର ଛାଡ଼ିଥିଲେ। ଗତ ଜୁନ୍ରେ ନେପାଳ ଦେଇ ସୀମା ତାଙ୍କ ୪ ପିଲାଙ୍କ ସହ ଉତ୍ତର ପ୍ରଦେଶରେ ପହଞ୍ଚତ୍ଥିଲେ। ସେଠାରୁ ବସ୍ ଯୋଗେ ସେ ଗ୍ରେଟର ନୋଏଡା ଆସିଥିବା ପୋଲିସ କହିଛି। କିଛିଦିନ ତଳେ ସୀମା ଓ ସଚିନ ଗ୍ରେଟର ନୋଏଡାର ରାବୁପୁରାରେ ନୂଆ ଘର ଭଡ଼ା ନେଇ ଏକାଠି ରହୁଥିଲେ। ପୋଲିସ ଘଟଣା ସମ୍ପର୍କରେ ଅବଗତ ହୋଇଥିବା ଜାଣିପାରି ସଚିନ, ସୀମା ଏବଂ ୪ ପିଲାଙ୍କୁ ନେଇ ଫେରାର୍ ହୋଇଯାଇଥିବାବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି। ଘଟଣାର ତଦନ୍ତ ନେଇ ପୋଲିସ ଦୁହିଁଙ୍କୁ ପଚରାଉଚରା ଜାରି ରଖିଛି।
ସୀମା ପାକିସ୍ତାନରୁ ଆସିଥିବା ଶୁଣି ପଡ଼ୋଶୀ ଚକିତ ହୋଇ ଯାଇଥିବା ବେଳେ ପୁଅ ସହ କିଛି ସମ୍ପର୍କ ନାହିଁ ବୋଲି ସଚିନଙ୍କ ପରିବାର ଲୋକେ କହିଛନ୍ତି।
Powered by Froala Editor