୩ ରେ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦ ବୈଠକ

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ହେଉଛି । ଆସନ୍ତା ମାସ ୩ ତାରିଖରେ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଅଧ୍ୟକ୍ଷତା କରିବେ । ବୈଠକ ପ୍ରଗତି ମଇଦାନସ୍ଥିତ ନବନିର୍ମିତ କନ୍ଭେନ୍ସନ ସେଣ୍ଟରରେ ଅନୁଷ୍ଠିତ ହୋଇପାରେ ।
ଦୁଇବର୍ଷ ହେଲା ମୋଦି କ୍ୟାବିନେଟ୍ରେ ସେମିତି ବଡ଼ଧରଣର ଅଦଳବଦଳ ହୋଇନାହିଁ । ତେଣୁ ଜୁଲାଇ ୩ ତାରିଖ ବୈଠକରେ କିଛି ବଡ଼ ଘୋଷଣା ହୋଇପାରେ । ଗଲା ମେ ମାସରେ ମୋଦି ସରକାର କିରେନ୍ ରିଜିଜୁଙ୍କୁ ଆଇନ ମନ୍ତ୍ରୀ ପଦରୁ ହଟାଇ ତାଙ୍କ ସ୍ଥାନରେ ଅର୍ଜୁନ ମେଘୱାଲଙ୍କୁ ଦାୟିତ୍ୱ ଦେଇଥିଲେ । ୨୦୨୧ ଜୁଲାଇରେ ମୋଦି କ୍ୟାବିନେଟ୍ରେ ବଡ଼ଧରଣର ଅଦଳବଦଳ ହୋଇଥିଲା । ୧୨ ଜଣ ମନ୍ତ୍ରୀ ହଟିଥିଲା ବେଳେ ୧୭ ନୂଆ ମନ୍ତ୍ରୀ ଶପଥ ନେଇଥିଲେ ।ଦଳର କେତେକ ବରିଷ୍ଠ ନେତାଙ୍କୁ ବିଭିନ୍ନ ରାଜ୍ୟର ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ ଦାୟିତ୍ୱ ଦିଆଯାଇପାରେ ବୋଲି ଅନୁମାନ କରାଯାଇଛି । ସେହିଭଳି କର୍ଣ୍ଣାଟକ ଓ ଗୁଜରାଟ ସମେତ ୩ଟି ରାଜ୍ୟରେ ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇପାରେ । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ବିଜେପିର ଏହି ବୈଠକ ବିଶେଷ ଗୁରୁତ୍ୱ ବହନ କରୁଛି ।
Powered by Froala Editor