ସିଗାରେଟ ପାଇଁ ଛାତ୍ରକୁ ନିର୍ଦ୍ଦୟ ଭାବେ ପିଟିଲେ ଶିକ୍ଷକ, ପ୍ରାଣ ଚାଲିଗଲା
ସିଗାରେଟ୍ ଟାଣୁଥିବା ବେଳେ ବିହାରର ଜଣେ ୧୫ ବର୍ଷିୟ ବାଳକ ତା’ର ସ୍କୁଲ୍ ଶିକ୍ଷକଙ୍କଠାରୁ ମାଡ଼ଖାଇ ମରିଯାଇଥିବା ଅଭିଯୋଗ ହୋଇଛି। ବିହାରର ପୂର୍ବ ଚମ୍ପାରନରେ ରହୁଥିବା ୧୫ ବର୍ଷୀୟ ଛାତ୍ର ବଜରଙ୍ଗୀ କୁମାର ମା’ଙ୍କ ମୋବାଇଲ ଆଣିବା ପାଇଁ ମଧୁବନ ଅଞ୍ଚଳକୁ ଯାଇଥିଲେ। ସେଠାରୁ ମୋବାଇଲ ଆଣି ଘରକୁ ଫେରିବା ବେଳେ ସେ ଓ ତାଙ୍କର ଜଣେ ବନ୍ଧୁ ହରଦିୟା ବ୍ରିଜ୍ ତଳେ ସିଗାରେଟ ଟାଣିଥିଲେ। ଶନିବାର ସକାଳ ପ୍ରାୟ ୧୧.୩୦ରେ ଏହି ଘଟଣା ଘଟିଥିଲା।
ବଜରଙ୍ଗୀ ସିଗାରେଟ ଟାଣୁଥିବା ବେଳେ ସେ ପଢ଼ୁଥିବା ଘରୋଇ ଆବାସିକ ସ୍କୁଲ Madhuban Rising Star Prep Schoolର ଅଧ୍ୟକ୍ଷ ବିଜୟ କୁମାର ଯାଦବ ଦେଖି ଦେଇଥିଲେ। ବଜରଙ୍ଗୀ ସିଗାରେଟ ଟାଣୁ ଥିବାରୁ ବିଜୟ ପୂରା ରାଗି ଯାଇଥିଲେ। ଏହି ସମୟରେ ତାଙ୍କ ସହ ଉକ୍ତ ସ୍କୁଲର ଆଉ ଜଣେ ଶିକ୍ଷକ ତଥା ବଜରଙ୍ଗୀଙ୍କ ସମ୍ପର୍କୀୟ ମଧ୍ୟ ରହିଥିଲେ।
ତୁରନ୍ତ ଅଧ୍ୟକ୍ଷ ବଜରଙ୍ଗୀଙ୍କ ବାପାଙ୍କୁ ଡକାଇବା ସହିତ ବଜ୍ରଙ୍ଗୀକୁ ସ୍କୁଲ୍ ପରିସରକୁ ଟାଣିନେଇଥିଲେ। ସେଠାରେ ସେମାନେ ଅନ୍ୟ ଶିକ୍ଷକମାନଙ୍କ ସହିତ ମିଶି ବଜ୍ରଙ୍ଗୀର ପୋଷାକ ଓହ୍ଲାଇ ନିର୍ଦ୍ଦୟ ଭାବେ ବେଲ୍ଟ୍ରେ ପିଟିଥିଲେ। ବଜ୍ରଙ୍ଗୀ ଅଚେତ ହୋଇପଡ଼ିବାରୁ ତାକୁ ତୁରନ୍ତ ମଧୁବନର ଏକ ଘରୋଇ ନର୍ସିଙ୍ଗ୍ ହୋମ୍କୁ ନେଇଥିଲେ। କିନ୍ତୁ, ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କହି ସେମାନେ ବଜରଙ୍ଗୀକୁ ମୁଜାଫରପୁର ରେଫର୍ କରିଦେଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଲା।
ତେବେ ପରିବାର ଲୋକଙ୍କ ମାଡ଼ ମରା ଅଭିଯୋଗକୁ ଅଧ୍ୟକ୍ଷ ବିଜୟ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପିଲାଟିକୁ ଆଦୌ ମାଡ଼ ମରାଯାଇନି। ସିଗାରେଟ ଟାଣିବା ସମ୍ପର୍କରେ କାଳେ ଘର ଲୋକ ଜାଣିଦେବେ, ସେହି ଭୟରେ ସେ ବିଷ ପିଇ ଆତ୍ମହତ୍ୟା କରିଛି।
Powered by Froala Editor