୩୬ ବର୍ଷ ହେଲା ପେଟରେ ଥିଲା ଯାଆଁଳା ଶିଶୁ
ମହାରାଷ୍ଟ୍ରର ନାଗପୁରରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ଜଣେ ପୁରୁଷ ଗର୍ଭବତୀ ହୋଇଥିଲେ। ଏହି ବ୍ୟକ୍ତି ଜଣକ ୩୬ ବର୍ଷରୁ ଅଧିକ ସମୟ ଧରି ନିଜ ଗର୍ଭରେ ଶିଶୁକୁ ଧାରଣ କରିଥିଲେ । ଅପରେସନ୍ ପରେ, ତାଙ୍କ ପେଟରୁ ମୃତ ଯାଆଁଳା ଶିଶୁ ବାହାରିଛନ୍ତି ।
ସଞ୍ଜୁ ଭାଗବତଙ୍କ କ୍ଷେତ୍ରରେ ଏହି ଅତି ବିରଳ ଘଟଣା ଚିହ୍ନଟ ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ଏକ ନିଆରା ଶାରୀରିକ ବିଲକ୍ଷଣ, ଯାହାକୁ ଡାକ୍ତରୀ ଭାଷାରେ ‘ଫେଟସ୍ ଇନ୍ ଫେଟୁ’ କହାଯାଇଥାଏ।
ସୂଚନା ଅନୁସାରେ ଭାଗବତଙ୍କ ପିଲାଦିନ ଠିକ୍ଠାକ୍ ଥିଲା । କିନ୍ତୁ କିଛିଦିନ ଯିବାପରେ ତାଙ୍କ ପେଟ ଅସ୍ୱାଭାବିକ ଭାବେ ଫୁଲିବାକୁ ଲାଗିଥିଲା । ଯାହାକୁ ନେଇ ପରିବାର ସଦସ୍ୟଙ୍କ ଚିନ୍ତା ବଢ଼ିଥିଲା ।
ସଞ୍ଜୁ ଭାଗବତଙ୍କ ପେଟ ଏତେ ଫୁଲିଗଲା ଯେ, ଲୋକମାନେ ତାଙ୍କୁ ଗର୍ଭବତୀ ବୋଲି କହିବା ଆରମ୍ଭ କରିଥିଲେ । ୧୯୯୯ ମସିହାରେ ତାଙ୍କର ପେଟର ଫୁଲା ଯୋଗୁ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସଞ୍ଜୁ ଭାଗବତଙ୍କୁ ଦେଖି ଡାକ୍ତର ତାଙ୍କର ଟ୍ୟୁମର ହୋଇଥିବା କଥା ଭାବିଥିଲେ । କିନ୍ତୁ ଅପରେସନ୍ ସମୟରେ ତାଙ୍କ ପେଟ ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
କାରଣ ସେତେବେଳେ ତାଙ୍କ ପେଟରେ ଅନେକ ହାଡ ସହ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଥିବା ଜଣିବାକୁ ପାଇଥିଲେ । ପରେ ଡାକ୍ତରମାନେ ପ୍ରଥମେ ଗୋଟିଏ ଗୋଡ, ପରେ ଅନ୍ୟ ଗୋଡ, କେଶ, ହାତ ପରି ଶରୀରର ଅନ୍ୟାନ୍ୟ ଅଂଶ ଚିହ୍ନଟ କରିବା ସହ ଅପରେସନ୍ କରି ବାହାର କରିଥିଲେ । ଯାହା ସମସ୍ତ ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଡାକ୍ତରମାନେ ଏହି ଘଟଣାକୁ ଅଦୃଶ୍ୟ ଟ୍ୱିନ୍ ସିଣ୍ଡ୍ରୋମ ବୋଲି ବର୍ଣ୍ଣନା କରିଛନ୍ତି । ଯାହାର ଅର୍ଥ ହେଉଛି ଯାଆଁଳା ଶିଶୁ ଗର୍ଭାବସ୍ଥାରେ ମରିଯିବା ।
ଏହି ବିରଳ ଅବସ୍ଥା ପ୍ରାୟ ୫୦୦,୦୦୦ଙ୍କ ମଧ୍ୟରେ ଜଣଙ୍କଠାରେ ଦେଖାଯାଏ। ଦୁଇ ଜଣ ପିଲା ପେଟରେ ଥିବା ବେଳେ ଯଦି ଜଣେ ଯାଆଁଳା ଅନ୍ୟ ଜଣଙ୍କ ପେଟରେ ରହିଯାଏ ତ ଏପରି ବିରଳ ଘଟଣା ଘଟିଥାଏ। ଏହାକୁ ‘ଫେଟସ୍ ଇନ୍ ଫେଟୁ’ ବୋଲି ଅଭିହିତ କରାଯାଏ। ସରଳରେ କହିବାକୁ ଗଲେ, ଏହି ଅବସ୍ଥାରେ ଯାଆଁଳା ଦୁଇ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଅନ୍ୟ ଜଣଙ୍କ ପେଟରେ ବଢ଼ିଥାଏ।
Powered by Froala Editor