ଝିଅ ହେବାରୁ ସହ୍ୟ କରିପାରି ନଥିଲା: ବିଷ ଇଞ୍ଜେକସନ ଦେଲା ବାପା

ବାଲେଶ୍ବର ଜିଲ୍ଲା ମିତ୍ରପୁର୍ ସିଙ୍ଗିରୀ ଅଞ୍ଚଳରେ ୧୮ ଦିନର ଝିଅକୁ ବାପ ବିଷ ଇଞ୍ଜେକସନ ଦେଇ ହତ୍ୟାଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଝିଅକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ପିଶାଚ ବାପାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
କନ୍ୟା ସନ୍ତାନର ଏକୋଇସିଆ ଉତ୍ସବ ପାଳନ ନିମନ୍ତେ ଅଜା ଘର ପକ୍ଷରୁ ପୂରା ପ୍ରସ୍ତୁତି କରାଯାଇଥିବା ବେଳେ ଏହି ଖୁସିକୁ ଦୁଃଖରେ ପରିଣତ କରିଦେଇଛି ଖୋଦ୍ ଜନ୍ମକଲା ବାପା। କନ୍ୟା ସନ୍ତାନ ଜନ୍ମ ହେବାରୁ ସହ୍ୟ କରିପାରି ନ ଥିଲା । ୧୮ ଦିନର ଝିଅକୁ ବିଷ ଦେଇ ଜୀବନରୁ ମାରିବାକୁ ବାପା ଚେଷ୍ଟା କରିଥିଲା।
ଶିଶୁର ଅଜା କହିଛନ୍ତି, ତାଙ୍କ ଝିଅ ୨୦ ଦିନ ତଳେ ଏକ ଘରୋଇ ହସ୍ପିଟାଲରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପରେ ତାଙ୍କ ଘରକୁ ଦେଖାରଖା ନିମନ୍ତେ ଆସିଥିଲେ। ଶିଶୁକୁ ଦେଖିବାକୁ ମଝିରେ ମଝିରେ ତାଙ୍କ ଘରକୁ ଜ୍ୱାଇଁ ଓ ଝିଅର ଶାଶୁ ଆସନ୍ତି। ହେଲେ କନ୍ୟା ଜନ୍ମ ହେବାକୁ ନେଇ ଜ୍ୱାଇଁ ଖୁସି ନ ଥିଲେ। ଗତକାଲି କନ୍ୟା ସନ୍ତାନକୁ ଦେଖିବାକୁ ଆସିଥିଲେ ଜ୍ୱାଇଁ। ଆଜି ସକାଳେ ଝିଅ ସ୍ନାନ କରିବାକୁ ଯାଇଥିବା ବେଳେ ଜ୍ୱାଇଁ ବିଷ ଇଞ୍ଜେକସନ୍ ଦେଇ ଦେଇଥିଲେ। କନ୍ୟା ସନ୍ତାନ କାନ୍ଦିବାରୁ ଦୌଡ଼ି ଆସି ଝିଅ ଦେଖିଥିଲା। ଏହି ସମୟରେ ବିଷ ତଳେ ପଡ଼ିଥିବା ଦେଖିବା ପରେ ଚିତ୍କାର କରିଥିଲା। ପରିବାର ଲୋକେ ଓ ଗାଁ ଲୋକେ ଜ୍ୱାଇଁକୁ ପଚରାଉଚରା କରିବା ପରେ ସେ ସତ ମାନିଥିଲା।
Powered by Froala Editor