ବଦଳିବେ ପ୍ରଶାସନିକ ଅଧିକାରୀ, ମେ ୨୯ ସୁଦ୍ଧା ତାଲିକା ଦାଖଲ କରିବାକୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ୨୦୨୪ ମେ’ ମାସ ପୂର୍ବରୁ ନିର୍ବାଚନ ହେବାକୁ ଥିବାରୁ ସରକାରୀ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟକୁ ଅଧିକ ସଶକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସମସ୍ତ ତଥ୍ୟ ମାଗିଛନ୍ତି । ସେହି ଅନୁସାରେ ରାଜସ୍ୱ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଜିଲ୍ଲାରେ କାର୍ୟ୍ୟରତ ଓଏଏସ୍, ଓଆରଏସ୍ ଏବଂ ଗ୍ରୁପ-ବି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଚିଠି ଲେଖାଯାଇଛି । ଗୋଟିଏ ପଦବୀରେ ୩ ବର୍ଷ ଥିବା ଅଧିକାରୀ ଏବଂ ନିଜ ଜିଲ୍ଲାରେ କାର୍ୟ୍ୟରତ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ମେ ୨୯ ସୁଦ୍ଧା ଦାଖଲ କରିବାକୁ ରାଜସ୍ୱ ବିଭାଗ ନିର୍ଦ୍ଦେଶ ଦେଇଛି । ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବାକୁ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ନେଇ ନିର୍ବାଚନ କମିଶନ କିଛି କଟକଣା ରଖିଛନ୍ତି । ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ କୌଣସି ଅଧିକାରୀ ନିଜ ଜିଲ୍ଲାରେ ରହିପାରିବେ ନାହିଁ । କୌଣସି ଅଧିକାରୀ ୩ ବର୍ଷରୁ ଅଧିକ ସମୟ ଗୋଟିଏ ପଦବୀରେ ରହିବେ ନାହିଁ । ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର୍, ପୁଲିସ ଇନ୍ସପେକ୍ଟର, ସବ-ଇନ୍ସପେକ୍ଟରମାନେ ୨୦୧୯ ସାଧାରଣ ନିର୍ବାଚନରେ ଯେଉଁଠି ଥିଲେ, ସେମାନେ ୨୦୨୪ରେ ସେହି ଜାଗାରେ ରହିପାରିବେ ନାହିଁ ।
ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରି ବଦଳି କାମ ସାରିବାକୁ ଆଦର୍ଶ ଆଚରଣ ବିଧିରେ ଉଲ୍ଲେଖ ରହିଛି । ସେହିପରି ନିର୍ବାଚନ ପାଇଁ ମଡ଼େଲ କୋଡ଼ ଲାଗୁ ହେବା ପରେ କୌଣସି ମନ୍ତ୍ରୀ, ରାଜନେତା ସରକାରୀ ଅଧିକାରୀଙ୍କ ସହ ଭିଡ଼ିଓ କନଫରେନ୍ସିଂ କରିବାକୁ ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିବ । ଏହି ମିଟିଂର ବିବରଣୀ ଗଣମାଧ୍ୟମକୁ ଦେବେ ନାହିଁ । ସେହିପରି କୌଣସି ଅଧିକାରୀଙ୍କ ସ୍ୱାମୀ କିମ୍ୱା ସ୍ତ୍ରୀ ରାଜନୈତିକ ଦଳ ସହ ଜଡ଼ିତ ଥିଲେ । ସେହି ଅଧିକାରୀଙ୍କ ଟୁର୍ ଓ ଛୁଟି ଉପରେ ମଧ୍ୟ କଟକଣା ରହିଛି ।
Powered by Froala Editor