ଶପଥ ନେଲେ ସୁଦାମ ମାର୍ଣ୍ଡି
ଭୁବନେଶ୍ୱର:ରାଜ୍ୟରେ ଖାଲି ପଡ଼ିଥିବା ମନ୍ତ୍ରୀ ପଦକୁ ନେଇ ଗତ କିଛି ଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ଆଜି ବିରାମ ଲାଗିଛି। ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ହୋଇଛି । ଏହି କ୍ରମରେ ପୂର୍ବ ସୂଚୀ ମୁତାବକ ସୋମବାର ଲୋକସେବା ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଆଜି ପ୍ରଥମେ କ୍ୟାବିନେଟ ମନ୍ତ୍ରୀଭାବେ ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶପଥ ଗ୍ରହଣ କରିବା ପରେ ଶପଥ ନେଇଛନ୍ତି ସୁଦାମ ମାର୍ଣ୍ଡି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବା ଜଣାଯାଇଛି।
ପ୍ରକାଶ ଯେ ମୟୂରଭଂଜ ଜିଲ୍ଲାର ବିଜେଡି ସଭାପତି ଅଛନ୍ତି ସୁଦାମ ମାରାଣ୍ଡି। ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ପୂର୍ବରୁ ରାଜସ୍ୱ ଓ ପ୍ରଶମନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳି ଥିଲେ ସୁଦାମ ମାରାଣ୍ଡି।
ଗତ ୧୨ ତାରିଖରେ ବାଚସ୍ପତି ପଦରୁ ଅଚାନକ ବିକ୍ରମ କେଶରୀ ଆରୁଫ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଶ୍ରମ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ବି ଇସ୍ତଫା ଦେଇଥିଲେ। ଏହାପରେ ନୂଆ ମନ୍ତ୍ରୀ କିଏ ହେବ ତାକୁ ନେଇ ରାଜନୈତିକ ବିଶେଷଜ୍ଞ ଅଙ୍କ କଷା ଆରମ୍ଭ କରି ଦେଇଥିଲେ। ଫଳରେ ସମୀରଙ୍କ ହାତରେ ଥିବା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦାୟିତ୍ୱ ପ୍ରମିଳା ମଲ୍ଲିକଙ୍କ ହାତକୁ ଚାଲି ଯାଇଥିଲା। ପୂର୍ବରୁ ନବ ଦାସଙ୍କ ମୃତ୍ୟୁ ପରେ ମନ୍ତ୍ରିମଣ୍ଡଳରେ ଗୋଟିଏ ଆସନ ଖାଲି ପଡ଼ିଥିଲ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛୁଟିରେ ଥିବାରୁ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ବିଳମ୍ବିତ ହୋଇଥିଲା। ଗତ ରାତିରେ ରାଜ୍ୟପାଳ ଓଡ଼ିଶା ଫେରିଥିବା ବେଳେ ଆଜି ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଛି।
Powered by Froala Editor