ପଶ୍ଚିମବଙ୍ଗରେ ହିଂସା ଥମୁନି, ଥାନା ଜାଳିଦେଲେ ବିକ୍ଷୋଭକାରୀ

ପଶ୍ଚିମବଙ୍ଗର ଏକ କେନାଲରୁ ନାବାଳିକାର ମୃତଦେହ ମିଳିବା ପରେ ଲୋକେ ଉତ୍ୟକ୍ତ ହୋଇ ଥାନାରେ ନିଆଁ ଲଗାଇ ଦେଇଛନ୍ତି। ଉତ୍ତର ଦିନାଜପୁର ଜିଲ୍ଲାର କଲିୟାଗଞ୍ଜରେ ଥିବା ଗୋଟିଏ ପୁଲିସ ଷ୍ଟେସନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି।
ଏହି ଘଟଣାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଦିବାସୀ ଓ ରାଜବଂଶୀ ସମ୍ପ୍ରଦାୟର ଲୋକମାନେ ମଙ୍ଗଳବାର ଅପରାହ୍ନରେ ଥାନା ଘେରାଉ କରିଥିଲେ। ପରେ ସେମାନେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ, ପୁଲିସ କର୍ମଚାରୀମାନେ ଲାଠିଚାର୍ଜ ଆରମ୍ଭ କରିବାରୁ ଉତ୍ତେଜନା ବଢ଼ିଥିଲା। ଉତ୍ୟକ୍ତ ଜନତା ଥାନା ଭିତରକୁ ପଶି ନିଆଁ ଲଗାଇ ଦେଇଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।
ଏହା ପୂର୍ବରୁ ବିକ୍ଷୋଭକାରୀମାନେ ରାୟଗଞ୍ଜସ୍ଥିତ ଉତ୍ତର ଦିନାଜପୁର ଜିଲ୍ଲା ସଦର ମହକୁମାରେ ଥିବା ପୁଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ରାୟଗଞ୍ଜରେ ଏହି ବିକ୍ଷୋଭ ବିଜେପି ଦ୍ୱାରା ଆୟୋଜନ କରାଯାଇଥିଲା। ସେଠାରେ ମଧ୍ୟ ପୁଲିସ ସହ ବିକ୍ଷୋଭକାରୀଙ୍କ ଧସ୍ତାଧସ୍ତି ହୋଇଥିଲା। ଆଇନଶୃଙ୍ଖଳା ଫେରାଇ ଆଣିବା ପାଇଁ ପୁଲିସକୁ ଲୁହବୁହା ଗ୍ୟାସ୍ ସେଲ୍ ଓ ଲାଠିଚାର୍ଜ କରିବାକୁ ପଡ଼ିଥିଲା।
ଗତ ଏପ୍ରିଲ ୨୧ ତାରିଖରେ କାଳିଆଗଞ୍ଜର ଏକ କେନାଲରେ ଜନୈକା ୧୭ ବର୍ଷୀୟା ନାବାଳିକାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଅନେକ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରିବାକୁ ପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
Powered by Froala Editor