ପ୍ରସୂତି ୱାର୍ଡରୁ ନବଜାତକୁ ନେଇ ଝୁଣିଦେଲା କୁକୁର
କର୍ଣ୍ଣାଟକାର ଶିବମଥଗା ଜିଲ୍ଲାରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରେ ଘଟିଛି ଦୁଃଖଦ ଘଟଣା। ପ୍ରସୂତି ୱାର୍ଡ ନିକଟରେ ଜଣେ ନବଜାତକୁ ଝୁଣି ମାରି ଦେଇଛି ଗୋଟିଏ ବୁଲା କୁକୁର। ହସ୍ପିଟାଲରେ ଥିବା ସୁରକ୍ଷାକର୍ମୀ କୁକୁର ମୁହଁରୁ ନବଜାତକୁ ଉଦ୍ଧାର କରିଥିଲେ ହେଁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ଏମସିଜ୍ଞାନ ଜିଲ୍ଲା ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡଙ୍କ କହିବା କଥା ଯେ ପ୍ରସୂତି ୱାର୍ଡ ନିକଟରେ ଗୋଟିଏ ବୁଲା କୁକୁର ତା’ ପାଟିରେ ନବଜାତକୁ ଧରି ଦୌଡ଼ୁଥିବା ଦେଖିବାକୁ ପାଇଥିଲେ। ସେମାନେ କୁକୁରର ପିଛା କରିବାରୁ ସେ ସେଠାରୁ ଦୌଡ଼ି ପଳାଇଥିଲା। ଦୌଡ଼ି ଯିବା ବେଳେ ତା’ ପାଟିରେ ଧରିଥିବା ନବଜାତକୁ ପକାଇ ଦେଇଥିଲା। କୁକୁର କାମୁଡ଼ାରେ ରକ୍ତାକ୍ତ ହୋଇ ସାରିଥିବା ନବଜାତକୁ ସେମାନେ ଉଦ୍ଧାର କରି ଡାକ୍ତରଙ୍କ ପାଖକୁ ନେଇଥିଲେ। ହେଲେ ସେତେବେଳକୁ ତା’ର ମୃତ୍ୟୁ ଘଟି ସାରିଥିଲା। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଶିଶୁର ମାତାପିତା କିଏ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଚିହ୍ନଟ ହୋଇପାରି ନଥିଲା। ଏଯାବତ କୌଣସି ପିତାମତା ସେମାନଙ୍କ ନବଜାତକୁ ପାଇ ନଥିବା ନେଇ କିଛି ବି ଅଭିଯୋଗ ଆଣି ନାହାନ୍ତି। ପୁଲିସ ଉକ୍ତ ନବଜାତକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
କୁକୁର କାମୁଡ଼ିବା ପୂର୍ବରୁ ପିଲାଟିର ମୃତ୍ୟୁ ଘଟିଥିଲା ନା ମୃତ ଶିଶୁଟିକୁ କୁକୁର ଟେକି ନେଇ ଯାଉଥିଲା, ସେକଥା ଜାଣିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି।
Powered by Froala Editor