ଏଣିକି ଯାତ୍ରା ମଞ୍ଚରେ ଦ୍ବିଅର୍ଥବୋଧକ ସଂଳାପ କହିପାରିବେନି କଳାକାର

ଭୁବନେଶ୍ବର :ଏଣିକି ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ହେବନି। ଦ୍ବିଅର୍ଥବୋଧକ ସଂଳାପ କହିପାରିବେନି କଳାକାର। ମାର୍ଜିତ ହେବ ସେମାନଙ୍କ ଅଭିନୟ। ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ଗୌରବମୟ ସଂସ୍କୃତିକୁ ସମ୍ମାନ ଜଣାଇବେ। କଦର୍ୟ୍ୟ ରୂପରେ ସଂସ୍କୃତିକୁ ପରିପ୍ରକାଶ କରିପାରିବେ ନାହିଁ। ଯାତ୍ରାରେ ବଢ଼ୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଭାଗ ପକ୍ଷରୁ କୁହାଯାଇଛି ଯେ ଯାତ୍ରା ଓ ମେଲୋଡି ଆମ ଓଡ଼ିଶାରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ। ମାତ୍ର, ଏବେ ଯାତ୍ରା ଓ ମେଲୋଡି ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ବିଅର୍ଥବୋଧକ ସଂଳାପ ଓ ଅଭିନୟ ପ୍ରଦର୍ଶନ କରାଯାଉଛି। ଫଳରେ ପରିବାର ସହ ନାଟକ ଦେଖିବା ସମ୍ଭବ ହେଉନାହିଁ। ଏହା ପ୍ରଭାବରେ ଯୁବକ ଯୁବତୀ ବିପଥଗାମୀ ହେଉଛନ୍ତି। ବିଭିନ୍ନ ପ୍ରକାରର ଅପରାଧରେ ମଧ୍ୟ ସଂପୃକ୍ତ ହେଉଥିବାର ନଜର ଆସୁଛି। ଏହା ଓଡ଼ିଶାର ଗୌରବମୟ ଓ ସମ୍ଭ୍ରାନ୍ତ ସଂସ୍କୃତିକୁ ଏକ କଦର୍ୟ୍ୟ ରୂପରେ ପରିପ୍ରକାଶ କରୁଛି, ଯାହାକି ଅତ୍ୟନ୍ତ ଲଜ୍ଜାଜନକ। ତେଣୁ ଯାତ୍ରା ଓ ମେଲୋଡି ମଞ୍ଚରେ ଏ ପ୍ରକାର ଅଶ୍ଳୀଳ ଓ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କର। ସେହିପରି ଜିଲ୍ଲାରେ ପରିବେଷଣ କରିବାକୁ ଯାଉଥିବା ସମସ୍ତ ଯାତ୍ରା ଓ ମେଲୋଡି ଦଳଙ୍କୁ ଅନୁମତି ପ୍ରଦାନ ସମୟରେ ସର୍ତ୍ତାବଳୀରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ହେବା ଆବଶ୍ୟକ। ଏଥିରେ ବ୍ୟତିକ୍ରମ ହେଲେ ଆବଶ୍ୟକୀୟ ଦୃଷ୍ଟାନ୍ତମୂଳକ ଓ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ନିର୍ଦ୍ଦେଶ ରଞ୍ଜନ କୁମାର ଦାସ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ କହିଛନ୍ତି। ଏ ସମ୍ପର୍କ ପ୍ରମୁଖ ଯାତ୍ରା ପାର୍ଟିଙ୍କୁ ଅବଗତ କରାଯାଇଛି।
Powered by Froala Editor