ଆଜି ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ଦାରୁଦିଅଁ

ପୁରୀ: ଦୋଳପୂର୍ଣ୍ଣିମା ପାଇଁ ଆଜି ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦାରୁଦିଅଁ ସୁନାବେଶରେ ଦର୍ଶନ ଦେବେ । । ସକାଳ ୮ଟାରୁ ସୁନାବେଶ ଆରମ୍ଭ ହୋଇ ୯.୩୦ରେ ଶେଷ ହେବ । ରାତି ୧୦.୩୫ରେ ବେଶ ଉଲାଗି ହେବ ବୋଲି ସୂଚନା ମିଳିଛି ।
ଦୋଳଯାତ୍ରାରେ ମୁଖ୍ୟତଃ ଶ୍ରୀରାଧାକୃଷ୍ଣ ବିଜେ ହେଉଥିବା ସ୍ଥଳେ ଶ୍ରୀକ୍ଷେତ୍ରରେ ଶ୍ରୀଦୋଳଗୋବିନ୍ଦଙ୍କ ସହ ଶ୍ରୀଦେବୀ ଓ ଭୂଦେବୀଙ୍କ ନୀତି ସମ୍ପନ୍ନ ହୋଇଥାଏ । ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ ଭିତର ଶୋଧ, ମଙ୍ଗଳ ଆଳତି, ଅବକାଶ, ରୋଷହୋମ, ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା ଆଦି ନୀତି ସରି ଠାକୁରେ ନୂଆଲୁଗା ଲାଗି ହୋଇ ବେଶ ଅନୁଷ୍ଠିତ ହେବ । ଏଥିସହ ଦୋଳଗୋବିନ୍ଦ, ଲକ୍ଷ୍ମୀ, ସରସ୍ୱତୀ ନାଭି କଟା ମଣ୍ଡପକୁ ବିଜେ କରିବେ । ନାଭିକଟା ମଣ୍ଡପ ନୀତି ସାରି ୭ ପାହାଚରେ ଥିବା ବିମାନକୁ ଦୋଳଗୋବିନ୍ଦ, ଲକ୍ଷ୍ମୀ, ସରସ୍ୱତୀ( ଦୋଳ ଠାକୁର) ବିଜେ କରିବେ । ବିଜେ ଠାକୁରଙ୍କୁ ବଡ଼ଦେଉଳରେ ୭ ଘେରା ବେଢ଼ା କରାଇ ଦୋଳବେଦିରେ ବିଜେ କରାଯିବ । ଘଣ୍ଟ, ଘଣ୍ଟା ଓ କାହାଳୀର ପଟୁଆରରେ ଠାକୁରମାନେ ଦୋଳବେଦିରେ ପହଞ୍ଚିବେ । ମହାଜନେ ଦୋଳିରେ ଦୋଳଠାକୁରଙ୍କୁ ବିଜେ କରିବା ପରେ ସର୍ବସାଧାରଣ ଦର୍ଶନ ହେବ । ଦୋଳବେଦିରୁ ଶ୍ରୀମନ୍ଦିରକୁ ଠାକୁରେ ବାହୁଡ଼ିଲେ ମହାପ୍ରଭୁଙ୍କ ସୁନାବେଶ ଉଲାଗି ହୋଇ ମହାସ୍ନାନ ବଢ଼ିବ । ଅନ୍ୟାନ୍ୟ ନୀତି ସହ ସନ୍ଧ୍ୟା ଆଳତି, ଚନ୍ଦନ ଲାଗି, ବଡ଼ସିଂହାର ବେଶ ଓ ଭୋଗ ହୋଇ ଠାକୁରଙ୍କ ରାତ୍ର ପହୁଡ଼ ହେବ ।
Powered by Froala Editor