୯୧ ବର୍ଷ ବୟସରେ ନୂଆ ସାଥୀଙ୍କ ପ୍ରେମରେ ଡିଏଲଏଫର ଚେୟାରମ୍ୟାନ୍ କୁଶାଲ ପାଲ ସିଂହ
ନୂଆଦିଲ୍ଲୀ : ୯୧ବର୍ଷରେ କୁହାଯାଏ ଯେ ପ୍ରେମ ଏକ ସୁନ୍ଦର ଅନୁଭବ । ଯେକୌଣସି ବୟସରେ ବି ହୋଇପାରେ । ଏହିପରି ଏକ ସୁନ୍ଦର ଘଟଣା ଘଟିଛି ଡିଏଲଏଫ ଗ୍ରୁପର ସେବାନିବୃତ ଚେୟାରମ୍ୟାନ୍ କୁଶାଲ ପାଲ ସିଂହ (କେ.ପି ସିଂ)ଙ୍କ କ୍ଷେତ୍ରରେ । ପରିଣତ ବୟସରେ ପାଦ ଦେଇ ସାରିଥିବା ବିଲେନିୟର କେ.ପି ସିଂ ୯୧ ବର୍ଷ ବୟସରେ ପ୍ରେମରେ ପଡିଛନ୍ତି । କେପି ସିଂ ନିଜେ ଏକ ସାକ୍ଷାତକାରରେ ଏହା ଘୋଷଣା କରିଛନ୍ତି ଏବଂ ନିଜ ନୂତନ ସାଥୀ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ।
କେପି ସିଂ କହିଛନ୍ତି, ' ପତ୍ନୀଙ୍କ ମୃତ୍ୟୁ ପରେ ମୋ’ ଜୀବନରେ ଏକ ଶୂନ୍ୟସ୍ଥାନ ଥିଲା । ବର୍ଷ ବର୍ଷ ଧରି ଜଣଙ୍କ ସହ ରହିବା ପରେ ତାଙ୍କୁ ହରାଇବା ଦୁଃଖ ଭାଷାରେ ପରିପ୍ରକାଶ କରି ହେବ ନାହିଁ । କିନ୍ତୁ ବର୍ତ୍ତମାନ ମୋ ଜୀବନରେ ଜଣେ ନୂଆ ସାଥୀ ପ୍ରବେଶ କରିଛନ୍ତି । ମୁଁ ତାଙ୍କ ପ୍ରେମରେ ପଡିଯାଇଛି ।
ମୋ’ ନୂଆ ସାଥୀଙ୍କ ନାମ ସିନା । ସେ ମୋ ଜୀବନର ଖାସ୍ ଲୋକମାନଙ୍କ ମଧ୍ୟରୁ ଜଣେ । ସେ ଶକ୍ତିଶାଳୀ ଏବଂ ତାଙ୍କ ବ୍ୟକ୍ତିତ୍ୱ ମୋତେ ଖୁବ୍ ପ୍ରେରିତ କରିଥାଏ । ସିନା ପ୍ରତ୍ୟେକ ପଦକ୍ଷେପରେ ମୋତେ ସମର୍ଥନ କରନ୍ତି । ସେ ମୋତେ ଆଗକୁ ଯିବାକୁ ଉତ୍ସାହିତ କରନ୍ତି । ବର୍ତ୍ତମାନ ସେ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛନ୍ତି ବୋଲି କହିଛନ୍ତି ଏହି ବିଲେନିୟର ବିଜନେସମ୍ୟାନ । କେପି ସିଂଙ୍କ ପ୍ରଥମ ପତ୍ନୀ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ । ଏହା ପରଠୁ ନିସଙ୍ଗ ଜୀବନ ବିତାଉଥିବା କେ.ପି ସିଂଙ୍କ ଜୀବନ ଏବେ ରଙ୍ଗୀନ ହୋଇ ଉଠିଛି ।
ରିଅଲ ଇଷ୍ଟେଟର ଶୀର୍ଷ ଧନୀ ବିଲେନିୟରଙ୍କ ମଧ୍ୟରେ କେପି ସିଂ ଅନ୍ୟତମ । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସରେ କେପି ସିଂ ୨୯୯ ତମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ସମ୍ପତ୍ତିର ନେଟ୍ ମୂଲ୍ୟ ୭.୬୩ ବିଲିୟନ ଡ଼ଲାର୍ (ପ୍ରାୟ ୬୩,୨୦୦ କୋଟି ଟଙ୍କା) ।
ଏକ ସାକ୍ଷାତକାରରେ କେ.ପି ସିଂ କହିଛନ୍ତି, ମୁଁ ଜୀବନରେ କେବେ ହାର ମାନିବି ନାହିଁ ବୋଲି ମୋ’ ପତ୍ନୀ ମୃତ୍ୟୁର ୬ ମାସ ପୂର୍ବରୁ ମୋ’ଠାରୁ ପ୍ରତିଶ୍ରୁତି ନେଇଥିଲେ । ପତ୍ନୀଙ୍କ ଏହି କଥା ସବୁବେଳେ ମୋ’ ସହ ରହିଛି । ମୋର ବିବାହିତ ଜୀବନ ଚମତ୍କାର ଥିଲା । ମୋ’ ପତ୍ନୀ ମୋର ସବୁଠୁ ଭଲ ବନ୍ଧୁ ଥିଲେ । ସେ ଚାଲିଯିବା ପରେ ମୁଁ ଖୁବ୍ ହତାଶ ହୋଇଥିଲି କିନ୍ତୁ ବର୍ତ୍ତମାନ ଜୀବନ ବଦଳି ଯାଇଛି । ଏବେ ଏକ ନୂତନ ଓ ସୁନ୍ଦର ଜୀବନ ମୋତେ ଅପେକ୍ଷା କରିଛି ।
Powered by Froala Editor