୫୧୨ କିଲୋ ପିଆଜ ବିକିଲେ, ୨ ଟଙ୍କା ପାଇଲେ ଚାଷୀ

ନାସିକ : ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ବୋରଗାଓଁର ପିଆଜ ଚାଷୀ ହେଉଛନ୍ତି ରାଜେନ୍ଦ୍ର ତୁକାରାମ ଚଭନ (୫୮) । ଚଳିତ ଋତୁରେ ତୁକାରାମ ନିଜ ଜମିରୁ ଅମଳ କରିଥିବା ୫୧୨ କିଲୋ ପିଆଜକୁ ବିକି୍ର କରିବା ଲାଗି ଘର ଠାରୁ ୭୦ କିମି ଦୂର ସରକାରୀ ମଣ୍ଡିକୁ ଯାଇଥିଲେ । କୃଷି ଉପାଦିତ ସାମଗ୍ରୀ କ୍ରୟ ଲାଗି ମହାରାଷ୍ଟ୍ର ସରକାର କୃଷି ବଜାର କମିଟି (ଏପିଏମସି) ଖୋଲିଛନ୍ତି । ମଣ୍ଡିରେ ପିଆଜ କିଲୋ ପ୍ରତି ୧ ଟଙ୍କା ହିସାବରେ ୫୧୨ ଟଙ୍କା ହୋଇଥିଲା । ମାତ୍ର ପରିବହନ ବାବଦରେ ମଣ୍ଡି କର୍ତ୍ତୃପକ୍ଷ ଖର୍ଚ୍ଚ କରିଥିବା ୫୦୯ ଟଙ୍କା ୫୦ ପଇସା ଉକ୍ତ ଅର୍ଥରୁ କାଟି ରଖିଥିଲେ । ତୁକାରାମଙ୍କୁ ମିଳିଥିଲା ମାତ୍ର ୨ ଟଙ୍କା ୫୦ ପଇସା । ବ୍ୟାଙ୍କ ଚେକରେ ରାଉଣ୍ଡ ଫିଗର ଦେୟ ବ୍ୟବସ୍ଥା ଥିବାରୁ ତାଙ୍କୁ ୨ ଟଙ୍କା ମିଳିଥିଲା । ୨ ଟଙ୍କାର ଚେକ ଓ ହିସାବର ରସିଦ୍ ଡ଼ାକ ମାଧ୍ୟମରେ ପଠାଯାଇଥିଲା , ଯାହାକୁ ଦେଖି ତୁକାରାମ ସମେତ ସଭିଏଁ ଆଶ୍ଚର୍ଯ୍ୟ ହେବା ସହ ସରକାରୀ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ । ପିଆଜ ଲାଗି ସେ ୪୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ତୁକାରାମଙ୍କ ପିଆଜ ନିମ୍ନ ମାନର ହୋାଇଥିବାରୁ ୧ ଟଙ୍କା ହୋଇଥିଲା । ଉନ୍ନତମାନର ପିଆଜ କିଲୋ ପ୍ରତି ୧୮ ଟଙ୍କାରେ କିଣାଯାଉଛି ।
Powered by Froala Editor