କୁକୁରଙ୍କ ମୁହଁରୁ ବର୍ତ୍ତି ପାରିଲାନି ୪ ବର୍ଷର ଶିଶୁ, ଖିନଭିନ୍ କରି ମାରିଦେଲେ
ତେଲେଙ୍ଗାନାର ନିଜାମାବାଦରେ ଲୋମହର୍ଷଣକାରୀ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଜଣେ ୪ ବର୍ଷର ବାଳକର କୁକୁର ଆକ୍ରମଣରେ ମୃତ୍ୟୁ ଘଟିଛି। ଭିଡିଓରେ ଆହୁରି ବି ଦେଖିବାକୁ ମିଳିଛି ଯେ ବାଳକଟି ମୁକୁଳିକି ଯିବା ପାଇଁ ଅନେକ ଚେଷ୍ଟା କରିବା ପରେ ବି ମୁକୁଳି ଯାଇ ପାରିନାହିଁ। ପିଲାଟିର ବାପା ଯେଉଁ ସ୍ଥାନରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ, ସେହି କ୍ୟାମ୍ପସ ଭିତରେ ହିଁ ବୁଲା କୁକୁରମାନେ ଏପରି କାଣ୍ଡ ଘଟାଇଛନ୍ତି।
ପ୍ରାଣ ହରାଇଥିବା ପିଲାର ନାଁ ପ୍ରଦୀପ। ବାପାଙ୍କ ସହ ସେ କ୍ୟାମ୍ପସକୁ ଆସିଥିଲା। ପାର୍କିଂ ଲଟ୍ରେ ପ୍ରଦୀପ ଏକାକୀ ଚାଲିଚାଲି ଯାଉଥିବା ବେଳେ ପଛ ପଟୁ ୩ଟି ବୁଲା କୁକୁର ତା ପାଖକୁ ଦୌଡ଼ି ଆସିଥିଲେ। ସେମାନଙ୍କୁ ଦେଖି ପ୍ରଦୀପ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ହେଲେ ଗୋଟିଏ କୁକୁର ତା’ ପିଛା କରି କାମୁଡ଼ି ଦେଇଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ। ତଳେ ପଡ଼ି ଯିବା ପରେ ୩ଟି ଯାକ କୁକୁର ପିଲାଟିକୁ ବାରମ୍ବାର କାମୁଡ଼ିବାରେ ଲାଗିଥିଲେ। ତା’ କପଡ଼ା ଭିଡ଼ି ବାହାର କରି ଦେଇଥିଲେ। ଶେଷରେ ୩ଟି ଯାକ କୁକୁର ଏକାସାଙ୍ଗରେ ତା’ ଉପରେ ଚଢ଼ି ବାରମ୍ବାର କାମୁଡ଼ି ପୂରା ଶରୀରକୁ ଖିନଭିନ କରି ଦେଇଥିଲେ। ଏଥିସହ ପାର୍କିଂ ଅଞ୍ଚଳର ଗୋଟିଏ କୋଣକୁ ପ୍ରଦୀପକୁ ଭିଡ଼ି ଭିଡ଼ି ନେଇଯାଇଥିଲେ। ସିସିଟିଭି ଦୃଶ୍ୟରୁ ଜଣାପଡ଼ୁଛି ଯେ ପ୍ରଦୀପ କୁକୁରମାନଙ୍କ ଆକ୍ରମଣ ଯୋଗୁ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇ ସାରିଥିଲା।
ମୃତ ବାଳକର ବାପା ଗଙ୍ଗାଧର ଉକ୍ତ ହାଉସିଂ ସୋସାଇଟିରେ ସୁକ୍ୟରିଟି ଗାର୍ଡ ଭାବେ କାମ କରନ୍ତି। ଘଟଣା ଘଟିବା ବେଳେ ବାଳକଟିର କାନ୍ଦ ସ୍ବର ଶୁଣି ତା’ ବାପା ଦୌଡ଼ି ଆସିଥିଲେ ଓ ତୁରନ୍ତ ତାକୁ ନେଇ ହସ୍ପିଟାଲ୍ ଯାଇଥିଲେ। ସେଠାରେ ଡାକ୍ତର ବାଳକଟିର ଚିକିତ୍ସା କରି ତାକୁ ମୃତ ଘୋଷଣା କରିିଥିଲେ।
Powered by Froala Editor