ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କକୁ ଚାଲିବ ମେଟ୍ରୋ ଟ୍ରେନ୍
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚାଲିବ । ପର୍ୟ୍ୟଟକଙ୍କ ସମେତ ଯାତ୍ରୀଙ୍କ ସୁବିଧା ପାଇଁ ଏହି ମେଟ୍ରୋ ଟ୍ରେନ୍ ଚଳାଚଳ କରିବ । ଏଥିପାଇଁ ରାଜ୍ୟ ସରକାର ମେଗା ମେଟ୍ରୋ ରେଳ ପ୍ରକଳ୍ପ କାର୍ୟ୍ୟକାରୀ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ରେଳ ମନ୍ତ୍ରଣାଳୟ ସହ ମେଗା ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାରଙ୍କ ପ୍ରାରମ୍ଭିକ ପର୍ୟ୍ୟାୟ ଆଲୋଚନା ଶେଷ ହେବା ସହ ଟ୍ରେନ ଚାଲିବାକୁ ଥିବା ରେଳମାର୍ଗ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ପ୍ରାରମ୍ଭିକ ପର୍ୟ୍ୟାୟରେ ଭୁବନେଶ୍ୱର-ପୁରୀ ମଧ୍ୟରେ ଏହି ମେଟ୍ରୋ ଟ୍ରେନ୍ ଚଳାଚଳ କରିବ ଓ ପରବର୍ତ୍ତୀ ସମୟରେ ଏହାକୁ କୋଣାର୍କ ପର୍ୟ୍ୟନ୍ତ ସମ୍ପ୍ରସାରଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ମେଟ୍ରୋ ଟ୍ରେନ ଚଳାଚଳ କଲେ ଭୁବନେଶ୍ୱର ଓ ପୁରୀର ୬୦କିମି ଦୂରତ୍ୱକୁ ମାତ୍ର ଅଧଘଣ୍ଟା ମଧ୍ୟରେ ଅତିକ୍ରମ କରାଯାଇପାରିବ । ରାଜ୍ୟ ସରକାର ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ବିକଶିତ କରୁଥିବାବେଳେ ଏକାମ୍ର କ୍ଷେତ୍ର ଓ ଶ୍ରୀକ୍ଷେତ୍ର ଏବଂ ଅର୍କକ୍ଷେତ୍ର କୋଣାର୍କ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ରାଜ୍ୟବାସୀ ତଥା ପର୍ୟ୍ୟଟକଙ୍କୁ ନିଆରା ଅନୁଭବ ଦେବ । ଏହି ମେଗା ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣା ଜମି ସହ ଆର୍ଥିକ ଖର୍ଚ୍ଚ ମଧ୍ୟ ତୁଲାଇବେ ବୋଲି ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ଏନେଇ ବିସ୍ତୃତ ରିପୋର୍ଟ କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିକଟରେ ଦାଖଲ ହୋଇଥିବା ଜଣାପଡ଼ିଛି ।
Powered by Froala Editor