ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି
ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ କାର୍ୟ୍ୟକ୍ରମ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଛନ୍ତି।
ଶୁକ୍ରବାର ପୂର୍ବାହ୍ନରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ସିଧାସଳଖ ଉତ୍କଳ ମଣ୍ଡପ ଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ପହଞ୍ଚିଥିଲେ।
ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନତାଙ୍କୁ ସ୍ବାଗତ କରିଥିଲେ।
ଅପରାହ୍ଣ ୪ ଟା ୫ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି। ନିଜେ ପାଠ ପଢ଼ିଥିବା ମହାବିଦ୍ୟାଳୟ ଆଜି ବିଶ୍ୱବିଦ୍ୟାଳୟ । ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ରମାଦେବୀ ବିଶ୍ୱବିଦ୍ୟାଳୟ । ୪ ବର୍ଷ ରହି ରମାଦେବୀରେ ପାଠ ପଢ଼ିଥିଲେ ଦ୍ରୌପଦୀ ମୁର୍ମୁ । ଯେଉଁ କଲେଜରେ ପାଠ ପଢ଼ୁଥିଲେ, ସେହିଠି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ୧୯୭୫ରୁ ୧୯୭୯ ପର୍ଯ୍ୟନ୍ତ ରମାଦେବୀରେ କଳାରେ ସ୍ନାତକ ପଢ଼ିଥିଲେ । ଏହି ସମୟରେ ହଷ୍ଟେଲରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ରାଷ୍ଟ୍ରପତି ନିଜ ସହପାଠିନୀଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୦ ଜଣ ସହପାଠିନୀଙ୍କୁ ନିମନ୍ତ୍ରଣ କରାଯାଇଛି ।
Powered by Froala Editor