୧୦ରେ ଆସୁଛନ୍ତି ରାଷ୍ଟ୍ରପତି, ସ୍ୱାଗତ ଲାଗି ଚାଲିଛି ଜୋରଦାର ପ୍ରସ୍ତୁତି
ଭୁବନେଶ୍ୱର : ଫେବୃଆରୀ ୧୦ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୋ÷ପଦୀ ମୁର୍ମୁ । ହାତରେ ଆଉ କମ୍ ସମୟ ବାକି ଥିବାରୁ ପ୍ରସ୍ତୁତି ଜୋରଦାର ହୋଇଛି । କ୍ୟାମ୍ପସକୁ ନବବଧୂ ବେଶରେ ସୁସଜ୍ଜିତ କରାଯିବା ସହ ରଙ୍ଗିନ ଆଲୋକରେ ଆଲୋକିତ କରାଯାଇଛି । ପ୍ରବେଶ ପଥରୁ ଏକାଡେ଼ମିକ୍ ବିଲଡ଼ିଂ ପର୍ଯ୍ୟନ୍ତ ,ସବୁଠି ରାଷ୍ଟ୍ରପତିଙ୍କ ସ୍ୱାଗତ ଲାଗି ଭବ୍ୟ ଆୟୋଜନ । ଛାତ୍ରୀଙ୍କ ଠାରୁ ଆରମ୍ଭ କରି କୁଳପତି ପର୍ଯ୍ୟନ୍ତ ସମସ୍ତେ ଏକାଗ୍ରତାର ସହ କାମ କରୁଛନ୍ତି । କିଭଳି ଭାବେ ସ୍ୱାଗତ କରିବେ , ସେନେଇ ଜୋରଦାର ପ୍ରସ୍ତୁତି ଚାଲିଛି । କମିସନରେଟ୍ ପୋଲିସ୍ ପକ୍ଷରୁ ମଧ୍ୟ ଭିତିଭୂମି ଯାଂଚ ଚାଲିଛି । ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତନରେ କେତେ ଜଣ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ , ତାହାର ତାଲିକା ପସ୍ତୁତି ଚାଲିଛି ।
ରମାଦେବୀ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତି ଯୁକ୍ତ ୨ ଓ ଯୁକ୍ତ୩ ଶିକ୍ଷା ଗ୍ରହଣ କରୁଥିଲେ । ତେଣୁ କଲେଜ ପଢୁଥିବା ସମୟର ସାଙ୍ଗ ମାନଙ୍କ ସହ ରାଷ୍ଟ୍ରପତି ଏକାଠି ହେବାର ସମ୍ଭାବନା ରହିଛି । କ୍ୟାମ୍ପସ୍ରେ ପୁରୁଣା ଦିନର ସ୍ମୃତି ସାଉଁଟିବେ । ତାହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ନିଷ୍ପତି ହୋଇଛି । ୮ ତାରିଖରୁ ପୋଲିସ୍ ପହରା ବଢାଯିବ । କ୍ୟାମ୍ପସ୍ ପ୍ରବେଶ ପଥ ବଦଳିଛି । ନୂଆଭାବେ ନିର୍ମାଣ ହୋଇଥିବା ପ୍ରବେଶ ପଥ ଦେଇ ରାଷ୍ଟ୍ରପତି କ୍ୟାମ୍ପସ୍ କୁ ପ୍ରବେଶ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ବାବଦରେ ୭୮ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ । ଉଚ୍ଚଶିକ୍ଷା ବିଭାଗର କର୍ତୁପକ୍ଷ ବିଶ୍ୱବିଦ୍ୟାଳୟ ପାଣ୍ଠିକୁ ଏହି ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଛି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ୍ ପୁଜାରୀ ଉପସ୍ଥିତ ରହିବେ ।
Powered by Froala Editor