ମହାଶିବ ରାତ୍ରୀ: ଟି-ସେତୁ ଦେଇ ବନ୍ଦ ରହିବ ଯାନବାହନ
କଟକ : ଆସନ୍ତା ୧୮ ତାରିଖରେ ମହାଶିବ ରାତ୍ରୀ। ଏଥିପାଇଁ ବଡ଼ମ୍ୱା ସିଂହନାଥ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୧୮ ତାରିଖ ଭୋର ୪ଟାରୁ ୧୯ ତାରିଖ ସକାଳ ୭ଟା ପର୍ୟ୍ୟନ୍ତ ଟି-ସେତୁ ଦେଇ ଯାନବାହନ ବନ୍ଦ ରହିବ ବୋଲି ଶନିବାର ଜାଗର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ସେତୁରେ ବାରିକେଡ୍ କରାଯିବ। ଉଭୟ ପାର୍ଶ୍ୱରେ ୧୦ କିଲୋମିଟର ପରିଧି ଭିତରେ ଯାନବାହନ ଚଳାଚଳ ବନ୍ଦ ରହିବ। ଏନେଇ ଜନସାଧାରଣଙ୍କୁ ସଚେତନ କରାଯିବ ବୋଲି ଆଠଗଡ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି। ପୀଠରେ ଭକ୍ତମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ସହିତ ସେତୁ ଉପରେ ଆଲୋକୀକରଣ କରାଯିବ। ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ପ୍ରବେଶିକା ଫି’ ୫ ଟଙ୍କା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।ମକର ମେଳାରେ ଘଟିଯାଇଥିବା ଅଘଟଣ ଯେପରି ଆଗକୁ ନଘଟିବ, ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
Powered by Froala Editor