କୋର୍ଟରେ ଆତ୍ମସମର୍ପଣ କଲେ ଓରେଭା ଗ୍ରୁପ୍ ଅଧ୍ୟକ୍ଷ
ଗୁଜରାଟର ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାର ଅଭିଯୁକ୍ତ ତଥା ଓରେଭା ଗ୍ରୁପ୍ର ଅଧ୍ୟକ୍ଷ ଜୟସୁଖ ପଟେଲ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଦୁର୍ଘଟଣାରେ ୧୩୫ ଜଣ ପ୍ରାଣ ହରାଇଥିଲେ। ଝୁଲା ପୋଲ ମରାମତି ଦାୟିତ୍ୱ ଓରେଭା ଗ୍ରୁପ ନେଇଥିଲା।
ପୂରା ଦେଶ ଏହି ଖବରରେ ସ୍ତବ୍ଧ ହୋଇଯାଇଥିବା ବେଳେ ଓରେଭା ଗ୍ରୁପ୍ର ଜୟସୁଖ ଫେରାର ହୋଇଯାଇଥିଲେ। ତାଙ୍କୁ ପୁଲିସ୍ ଏହି ଘଟଣାର ଅଭିଯୁକ୍ତ ଭାବେ ଦର୍ଶାଇ ଖୋଜୁଥିଲା। ଆଜି ସେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।
ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳର କହିବା ଅନୁସାରେ, ଓରେଭା ଗ୍ରୁପ୍ ଦ୍ୱାରା ପୋଲ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଅନେକ ତ୍ରୁଟି ଥିଲା । ଯେଉଁ ବ୍ରିଜରେ ଏକ ସମୟରେ ଅଧିକ ଲୋକଙ୍କୁ ପ୍ରବେଶ ଅନୁମତି ନଥିଲା ସେହି ବ୍ରିଜରେ ଅଧିକ ଲୋକଙ୍କୁ ଯିବାକୁ ଅନୁମତି ଦିଆଯାଇଥିଲା । ଟିକେଟକୁ ଅଧିକ ଦରରେ ବିକ୍ରି କରାଯାଇଥିଲା । ବ୍ରିଜକୁ ଚଢ଼ିବାକୁ ପ୍ରତିବନ୍ଧକ ନଥିଲା ।
ପୋଲରେ ଲାଗିଥିବା ୪୯ଟି କେବୁଲରୁ ୨୨ଟି ଜଙ୍କ ଖାଇଯାଇଥିଲା। ବ୍ରିଟିଶ ଅମଳର ଏହି ପୋଲର ମରାମତି ୧୨ ମାସ ଯାଏ ଚାଲିବାର ଥିଲା। କିନ୍ତୁ ୬ ମାସ ପରେ ଏହାକୁ ଖୋଲି ଦିଆଯାଇଥିଲା। ଯେଉଁଥି ପାଇଁ ଅକ୍ଟୋବର ୩୦ରେ ଏହା ଭୁଶୁଡ଼ି ପଡ଼ିଥିଲା।
Powered by Froala Editor