ଅମ୍ଫାନଠୁ ଭୟଙ୍କର ହୋଇପାରେ ‘ୟଶ୍’

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଲଘୁଚାପରେ ପରିଣତ ହୋଇ ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । କୋଲକାତାର ଅଲିପୁର ପାଣିପାଗ କେନ୍ଦ୍ର ଏହାକୁ ମହାବାତ୍ୟା ବୋଲି କହିଛି । ଏହି ବାତ୍ୟାକୁ ୟଶ ନାଁ ଦେଇଛି ଆଇଏମଡି । ଗତବର୍ଷର ଅମ୍ଫାନଠାରୁ ଏହା ଅଧିକ ଭୟଙ୍କର ହେବ ।
ଗୋଟିଏ ପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉତେ ବ୍ୟାପକ କ୍ଷୟକ୍ଷତି କରିଛି । ଖାସ୍ କରି ଗୁଜୁରାଟ, ମହାରାଷ୍ଟ୍ର, ଗୋଆ ସହ କର୍ଣ୍ଣାଟକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଗୋଟିଏ ବାତ୍ୟାର କ୍ଷୟକ୍ଷତି ଆକଳନ ହୋଇନଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଆଉ ଏକ ବାତ୍ୟାକୁ ନେଇ ଛନକା ପଶିଲାଣି ।
ପାଣିପାଗ ଆକଳନ ଅନୁଯାୟୀ, ସାମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇପାରେ। ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରିଛି ଯେ, ସୁପର ସାଇକ୍ଲୋନ୍ ‘ୟଶ୍’ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ। ମେ ୨୩-୨୫ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ସେପଟେ ଜୁନ୍ ୧ ତାରିଖ ସୁଦ୍ଧା ମୌସୁମୀ କେରଳ ଓ ଜୁନ୍ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ଓ ମୌସୁମୀ ପୂର୍ବରୁ ରାଜ୍ୟର ୧୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।
Powered by Froala Editor